ନ୍ୟୁଜ ଡେକ୍ସ : ପ୍ରତିବର୍ଷ ପରି ମାଘ ଶୁକ୍ଳ ଚତୁର୍ଦ୍ଦଶୀ ଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘ ମେଳା। ଆସନ୍ତାକାଲି ଅର୍ଥାତ ୩୧ ତାରିଖରୁ ଏହି ପବିତ୍ର ମେଳା ଆରମ୍ଭ ହେବ। ଏହାକୁ ନେଇ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ମହିମାଗାଦୀ ପରିସର ଏବେ ସମ୍ପୂର୍ଣ୍ଣ ଭାବେ ଚଳଚଞ୍ଚଳ ହୋଇଉଠିଛି।
ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୧ ତାରିଖର ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମୁଖ୍ୟମନ୍ତ୍ରୀ ମହିମାଗାଦୀ ନିକଟରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବେ।ମହିମା ସାଧୁମାନେ ଦୁଇ ଦିନ ଧରି ମୁଖ୍ୟ ଧାର୍ମିକ ନୀତିକାନ୍ତି ପାଳନ କରିବା ସହ ସ୍ଥାନୀୟ ବାସିନ୍ଦାମାନେ ପାଞ୍ଚ ଛଅ ଦିନ ଧରି ଧୁମଧାମରେ ମେଳାକୁ ପାଳନ କରିବେ। ଚଳିତ ବର୍ଷ ମହିମା ଧର୍ମର ୧୫୩ତମ ବାର୍ଷିକ ଉତ୍ସବ ପାଳିତ ହେଉଛି। ପରମ୍ପରା ଅନୁସାରେ ଗାଦୀ ମନ୍ଦିର ପରିସରର ଚାରି ଦ୍ୱାରରେ ଅଖଣ୍ଡ ଧୁନୀ ଜଳିବ ଓ ସନ୍ଧ୍ୟା ପରେ ସାରା ବିଶ୍ୱର କଲ୍ୟାଣ ପାଇଁ ବିଶାଳକାୟ ଝାଡ଼ବତୀ ଜଳାଇବେ ବକଳଧାରୀ ମହିମା ସନ୍ୟାସୀମାନେ।
ମହିମା ଗୋସାଇଁଙ୍କ ସମାଧିସ୍ଥଳ ଗୁରୁଧାମ ମହିମାଗାଦୀରେ ମହିମା ସାଧୁମାନେ ଏକତ୍ରିତ ହୋଇ ଜଗତର କଲ୍ୟାଣ ପାଇଁ ଅଖଣ୍ଡ ବତୀରେ ଘୃତାହୁତି କରିବେ।ଅନୁକୂଳ ପାଗ ଯୋଗୁଁ ଚଳିତ ବର୍ଷ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଆଗମନର ଆଶା କରାଯାଇଛି। ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ୧୨ରୁ ଅଧିକ ପ୍ଲାଟୁନ ପୋଲିସ ଫୋର୍ସ ସହ ପୋଲିସ ଅଧିକାରୀମାନେ ମୁତୟନ ରହିବେ।

