ନ୍ୟୁଜ ଡେକ୍ସ : ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଆସନ୍ତାକାଲି ଠାରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ ।
ଭିଏତନାମରେ ହିଟ କରିଥିବା ବାତ୍ୟା ୱିଫାର ଅଂଶବିଶେଷ ପ୍ରଥମେ ଘୂର୍ଣ୍ଣିବଳୟ କ୍ଷେତ୍ର ଓ ପରେ ଏହାର ପ୍ରଭାବରେ ଲଘୁଚାପର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଆଜିଠୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । ଆସନ୍ତା ୨୪ ଘଣ୍ଟା ପାଇଁ ୨୧ ଜିଲ୍ଲାକୁ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।
ଆସନ୍ତାକାଲି ମୟୂରଭଞ୍ଜ ଓ ବାଲେଶ୍ବରରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ।ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି ।
