ନ୍ୟୁଜ ଡେକ୍ସ: ଆରମ୍ଭ ହେବ ମାଟ୍ରିକ ପରୀକ୍ଷା, ୫ ଲକ୍ଷ ୧୨ ହଜାର ୪୩୭ ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ଆଜି ଲାଇଭ୍ ଷ୍ଟ୍ରିମିଂର ଡ୍ରାଏ ରନ୍ । ଶେଷ ପର୍ଯ୍ୟାୟରେ ମାଟ୍ରିକ ପରୀକ୍ଷା ପ୍ରସ୍ତୁତି, ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର। ନୋଡାଲ ସେଣ୍ଟର୍ ଓ ସମ୍ବେଦନଶୀଳ କେନ୍ଦ୍ରରେ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା।ଆଜି ହେବ ଡ୍ରାଏ ରନ୍।
ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ଗତକାଲି ନୋଡାଲ ସେଣ୍ଟରରେ ପହଞ୍ଚିଛି ପ୍ରଶ୍ନପତ୍ର। ୩୦୨୯ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ। ୫ ଲକ୍ଷ ୧୨ ହଜାର ୪୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ବିଭାଗ ପକ୍ଷରୁ ୩୧୪ଟି ନୋଡାଲ ସେଣ୍ଟର ହୋଇଛି। ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଫ୍ଲାଇଂ ସ୍କ୍ୱାର୍ଡ ଠାରୁ ଆରମ୍ଭ କରି ନୋଡାଲ ଅଫିସରମାନଙ୍କୁ ନିଯୁକ୍ତ କରାଯାଇଛି। ସେଣ୍ଟ୍ରାଲ ଅବଜରଭର୍, ଜିଲ୍ଲାସ୍ତର ଅବଜରଭର୍ ମାନେ ଦାୟିତ୍ୱରେ ରହିଛନ୍ତି।
ଯେମିତି ପରୀକ୍ଷାରେ କୌଣସି ବ୍ୟତିକ୍ରମ ହେବ ନାହିଁ, ସେଥିପାଇଁ ବିଭାଗ ତରଫରୁ ଗୁରୁତ୍ଵ ଦିଆଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ରାଜ୍ୟର ୩ହଜାର ୧୩୩ଟି କେନ୍ଦ୍ରର ହଲ୍ ସିସିଟିଭି ଫୋକସରେ ରହିବ। ୨୮୬ଟି ସମ୍ବେଦଶୀଳ ପରୀକ୍ଷା କେନ୍ଦ୍ର ଓ ୩୧୪ଟି ନୋଡାଲ୍ ସେଣ୍ଟରରେ ଭିଡିଓ ଲାଇଭ ହେବ। ଏହି ୬୦୦ ପରୀକ୍ଷା କେନ୍ଦ୍ରରୁ ଲାଇଭ୍ ଭିଡିଓର ଅନୁଧ୍ୟାନ ଲାଗି ବୋର୍ଡ କାର୍ଯ୍ୟାଳୟରେ କଣ୍ଟ୍ରୋଲ୍ ରୁମ୍ କରାଯାଇଛି। ପରୀକ୍ଷା ବେଳେ କେବଳ ସେଣ୍ଟର ସୁପରିଟେଣ୍ଡ ଓ ଅବଜରଭର୍ ମୋବାଇଲ ବ୍ୟବହାର କରିପାରିବେ।
