ନ୍ୟୁଜ ଡେକ୍ସ : ରାଜ୍ୟରେ ଏଯାଏଁ ଶୀତର ପ୍ରଭାବ କମିନି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ଦୁଇ ସପ୍ତାହ ଯାଏ ଓଡ଼ିଶାରେ ସ୍ୱାଭାବିକଠୁ ୨ରୁ ୪ ଡିଗ୍ରୀ କମ୍ ତାପମାତ୍ରା ରହିବ ଏବଂ ଶୀତ ଲହରି ଜାରି ରହିବ।ଆଜିଠୁ ଫେବ୍ରୁଆରୀ ୫ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୧୦ରୁ ୧୪ ଡିଗ୍ରୀ ସେଲସିଅସ୍ ରହିବ।
ଉପକୂଳ ଓ ଏହାର ନିକଟବର୍ତ୍ତୀ ଜିଲ୍ଲାମାନେ ୧୪ରୁ ୧୮ ଡିଗ୍ରୀ ମଧ୍ୟରେ ତାପମାତ୍ରା ଅନୁଭବ କରିବେ।ଫେବ୍ରୁଆରୀ ୬ରୁ ୧୨ ମଧ୍ୟରେ ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ଆହୁରି କମି ୬ରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ଯାଇପାରେ। ରାଜ୍ୟର ଅନ୍ୟ ଆଭ୍ୟନ୍ତରୀଣ ଅଞ୍ଚଳ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ୧୦ରୁ ୧୪ ଡିଗ୍ରୀ ଓ ଉତ୍ତର ଉପକୂଳ ଅଞ୍ଚଳରେ ୧୪ରୁ ୧୬ ଡିଗ୍ରୀ ତାପମାତ୍ରା ରହିବ। ଶୀତ ସହ ଘନ କୁହୁଡ଼ିର ପ୍ରଭାବ ମଧ୍ୟ ବଢ଼ିଛି। ଶୁକ୍ରବାର ଜଗତ୍ସିଂହପୁର, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲ୍ଲାର କିଛି ସ୍ଥାନରେ ମଧ୍ୟ କୁହୁଡ଼ି ଦେଖିବାକୁ ମିଳିପାରେ।ପାଣିପାଗ ବିଭାଗ ଲୋକଙ୍କୁ ଶୀତ ଓ କୁହୁଡ଼ିରୁ ସାବଧାନ ରହିବାକୁ ପରାମର୍ଶ ଦେଇଛି, ବିଶେଷକରି ଯାତାୟାତ ଓ ସକାଳ ବେଳର କାର୍ଯ୍ୟରେ ସତର୍କତା ଅବଳମ୍ବନ କରିବାକୁ କୁହାଯାଇଛି।

