ନ୍ୟୁଜ ଡେକ୍ସ: ସ୍ୱାଭାବିକ ସମୟଠାରୁ ୮ ଦିନ ଆଗୁଆ କେରଳରେ ପହଞ୍ଚିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏପଟେ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଜାରି ରହିଛି । ଚାରିଆଡ଼େ ମେଘୁଆ ବାଦଲ, କେଉଁଠି ଝିପିଝିପି, ଆଉ କେଉଁଠି ଅସରାଏ ଲେଖାଏଁ ବର୍ଷା । ଲାଗୁଛି ଯେମିତି, କେରଳ ଭଳି ଓଡ଼ିଶାକୁ ମଧ୍ୟ ଆଗୁଆ ଆସିବ ମୌସୁମୀ ।
ତେବେ ଏଥର ମୌସୁମୀ ଶୀଘ୍ର କେରଳ ଛୁଇଁଥିବାରୁ ଆସନ୍ତା ସପ୍ତାହ ମଧ୍ୟରେ ଓଡ଼ିଶାରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାର ପ୍ରଭାବରେ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି । ଓଡ଼ିଶା ନିକଟରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହିତ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଉପକୂଳ ସାଙ୍ଗକୁ ଦକ୍ଷିଣରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
ଆସନ୍ତା ୨୮ ଓ ୨୯ ତାରିଖରେ ଉପକୂଳ ଅଞ୍ଚଳ ସମେତ ଅନ୍ୟ କେତେକ ଜିଲ୍ଲାରେ ଅଧିକ ବର୍ଷା ସମ୍ଭାବନା ଅଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ସୁନ୍ଦରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ଅଧିକ ରହିପାରେ । ଏହି ଲଘୁଚାପଜନିତ ବର୍ଷା ଭିତରେ ରାଜ୍ୟକୁ ମୌସୁମୀ ପ୍ରବେଶ କରିପାରେ, ଆସନ୍ତା ୨୮ କିମ୍ବା ୨୯ ତାରିଖ ବେଳକୁ ।
