ନ୍ୟୁଜ ଡେକ୍ସ : ଆସନ୍ତା ୨୩ରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ନିଷ୍ପତ୍ତି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ ମହାପ୍ରଭୁଙ୍କ ଅଳଙ୍କାର । ଯଦି ସ୍ଥାନାନ୍ତର ୨୩ରେ ନସରିବ ତେବେ ୨୪ରେ ହେବ ପୁର୍ନବାର ସ୍ଥାନାନ୍ତର ।
ରତ୍ନଭଣ୍ଡାର ସବ୍କମିଟି ବୈଠକରେ ମୁଖ୍ୟ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି । ମହାପ୍ରଭୁଙ୍କର ସମସ୍ତ ରତ୍ନ ଅଳଙ୍କାର ଅସ୍ଥାୟୀ ଖଟ ଶେଯ, ଫୁଲ ଶେଯ ଓ ଚାଙ୍ଗଡ଼ା ଘରୁ ମୂଳ ବା ସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତରିତ ହେବ । ୨୩ ତାରିଖ ଦିନ ମାହେନ୍ଦ୍ର ବେଳା ସକାଳ ୭ଟା୧୭ ରୁ ୧୧ଟା୧୭ ଭିତରେ ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ ହେବ । ସ୍ଥାନାନ୍ତରଣ ଶେଷ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଉପରେ କଟକଣା ରହିବ । କୌଣସି ଭକ୍ତଙ୍କୁ ନାଟ ମଣ୍ଡପ କିମ୍ବା ବେହରଣ ଦ୍ଵାର ପର୍ଯ୍ୟନ୍ତ ଛଡାଯିବ ନାହିଁ । ପୂର୍ବରୁ ରାଜ୍ୟ ସରକାର ଗଠନ କରିଥିବା ଏସଓପି ବା ମାର୍ଗଦର୍ଶିକା ଆଧାରରେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା କରାଯିବ ।ଅଳଙ୍କାର ସ୍ଥାନାନ୍ତର ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ପଡ଼ିବ ।
ରତ୍ନଭଣ୍ଡାର ଚାବି ଟ୍ରେଜେରୀରେ ଦାଖଲ କରାଯିବ । ଗଣତି ମଣତି ଉପରେ ପରିଚାଳନା କମିଟି ନିଷ୍ପତ୍ତି ନେବ । ୧୯୭୮ ମସିହା ରତ୍ନ ଅଳଙ୍କାର ତାଲିକା ସହ ମେଳକ କରାଯିବ ବୋଲି କହିଛନ୍ତି ଶ୍ରୀ ପାଢୀ ।ତେବେ ସାଧାରଣ ଭକ୍ତଙ୍କ ପାଇଁ କଟକଣା ରହିବ । ଯଦିଓ ଭକ୍ତ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ତେବେ ଭିତର କାଠ ଦର୍ଶନ ଆଦୌ ହେବ ନାହିଁ । ସେହିପରି କୌଣସି ପରିସ୍ଥିତିରେ ଭକ୍ତ ନାଟ ମଣ୍ଡପ କିମ୍ବା ବେହରଣ ଦ୍ଵାର ପର୍ଯ୍ୟନ୍ତ ଯାଇପାରିବେ ନାହିଁ।ସେହିପରି ନାଟମଣ୍ଡପ ହୁଣ୍ଡି ସ୍ଥାନାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିସାରିଛି । ଏହା ପରେ ହୁଣ୍ଡି ସ୍ଥାନାନ୍ତରଣ ହୋଇ ଧାଡ଼ି ଦର୍ଶନ ପରୀକ୍ଷା ମୂଳକ ଭାବେ ଆରମ୍ଭ ହେବ ।
