ନ୍ୟୁଜ ଡେକ୍ସ : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୩ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ସେ ପବିତ୍ର ଧାମ ପୁରୀକୁ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ତାଙ୍କ ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ସେ ପ୍ରଥମେ ମହାମହିମ ପଞ୍ଚତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗାକୁ ଯାଇ ସେଠାରେ ପିଣ୍ଡଦାନ କରିବେ।
ପରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହା ନେଇ ଆଜି ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକାଯାଇଛି। ବୈଠକଟି ଅପରାହ୍ନ ୪ଟା ୩୦ରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିବ। ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ଛତିଶା ନିଯୋଗ ସେବାୟତ ପ୍ରତିନିଧିମାନେ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଦର୍ଶନ ସମ୍ପର୍କରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହେବ।ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ରାଜରତନ ମହାପାତ୍ର କହିଛନ୍ତି ଯେ ପରମ୍ପରା ଅନୁଯାୟୀ ମହାମହିମଙ୍କୁ ଶ୍ରୀମନ୍ଦିର ପକ୍ଷରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଖଣ୍ଡୁଆ ବସ୍ତ୍ର ଓ ଶୁଖିଲି ମହାପ୍ରସାଦ ଉପହାର ସ୍ୱରୂପ ପ୍ରଦାନ କରାଯିବ।
ଏପଟେ, ଶ୍ୱେତଗଙ୍ଗା ପୁଷ୍କରିଣୀରେ ପିଣ୍ଡଦାନ କାର୍ଯ୍ୟ ସଫଳ ଭାବେ ସମ୍ପନ୍ନ କରିବା ପାଇଁ ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସପି ଶ୍ୱେତଗଙ୍ଗା ପୁଷ୍କରିଣୀକୁ ଯାଇ ସ୍ଥଳ ପରିଦର୍ଶନ କରି ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି।ରାଷ୍ଟ୍ରପତିଙ୍କ ଏହି ପବିତ୍ର ଗସ୍ତକୁ ନେଇ ପୁରୀରେ ଭକ୍ତମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି।

