ନ୍ୟୁଜ ଡେକ୍ସ : ପଞ୍ଜାବରେ ବନ୍ୟା ପ୍ରଳୟ ଦିନକୁ ଦିନ ଭୟଙ୍କର ରୂପ ନେଉଛି । ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୪୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଲକ୍ଷ ୮୭ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରବଳ ବନ୍ୟାରେ ଖାଲି ଧନଜୀବନ ନୁହେଁ ବରଂ ଚାଷ ଜମି ବି ପ୍ରଭାବିତ ହୋଇଛି ।
୧.୭୫ ଲକ୍ଷ ହେକ୍ଟର ଜମି ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ୨ ହଜାର ପାଖାପାଖି ଗାଁ ବନ୍ୟା ଘେରରେ ରହିଛି । ରବିବାର, ବିଜେପିର ପଞ୍ଜାବ ୟୁନିଟ୍ ସୋସିଆଲ ମିଡିଆରେ ପୋଷ୍ଟ କରିଛି, ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର ୯ ରେ ପଞ୍ଜାବର ଗୁରୁଦାସପୁର ଆସୁଛନ୍ତି। ସେ ବନ୍ୟା ପ୍ରଭାବିତ ଲୋକଙ୍କୁ ସିଧାସଳଖ ଭେଟିବେ ଏବଂ ସେମାନଙ୍କ ଦୁଃଖ କଥା ବୁଝିବେ।
ଏହା ସହିତ, ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରାଯିବ। ବିଜେପି କହିଛି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ପ୍ରମାଣିତ କରେ ଯେ କେନ୍ଦ୍ରର ବିଜେପି ସରକାର ସର୍ବଦା ପଞ୍ଜାବର ଲୋକଙ୍କ ସହିତ ଠିଆ ହୋଇଛି ଏବଂ ଏହି କଷ୍ଟକର ସମୟରେ ପୂର୍ଣ୍ଣ ସମର୍ଥନ ଯୋଗାଇବ।

