ନ୍ୟୁଜ ଡେକ୍ସ : ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ଖଣ୍ଡ ଅଧୀନରେ ଥିବା ଆସିକା ବନାଞ୍ଚଳର ଜଗତି ପିଢ଼ିଆ ଓ ଏହାର ଆଖପାଖ ଅଞ୍ଚଳରେ ବିରଳ କୃଷ୍ଣସାର ମୃଗଙ୍କ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ବନ ବିଭାଗ ପକ୍ଷରୁ ଏହି ଗଣନା ପାଇଁ ୨୮ଟି ଦଳ ଗଠନ କରାଯାଇଛି, ଯେଉଁଥିରେ ଟ୍ରେନର, ବ୍ରହ୍ମପୁର ଏସିଏଫ, ଆସିକା ରେଞ୍ଜର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡମାନେ ସାମିଲ ହୋଇଛନ୍ତି।
ଏହି ଅଞ୍ଚଳରେ ପ୍ରଥମେ ୨୦୧୧ ମସିହାରେ କୃଷ୍ଣସାର ମୃଗ ଗଣନା ଆରମ୍ଭ ହୋଇଥିଲା। ପୂର୍ବରୁ ପ୍ରତି ଦୁଇ ବର୍ଷରେ ଏହି ଗଣନା କରାଯାଉଥିବା ବେଳେ, ବିଗତ କିଛି ବର୍ଷ ଧରି ଏହାକୁ ବର୍ଷକୁ ବର୍ଷ ନିୟମିତ ଭାବେ କରାଯାଉଛି।ବନ ବିଭାଗ ସୂଚନା ଅନୁସାରେ, ଆସିକା ବନାଞ୍ଚଳରେ ପ୍ରତିବର୍ଷ କୃଷ୍ଣସାର ମୃଗଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି କ୍ରମରେ ଚଳିତ ବର୍ଷ ମଧ୍ୟ ଗଣନା କାର୍ଯ୍ୟ ଚାଲିଛି। ଜଗତି ପିଢ଼ିଆ ଓ ତାହାର ଆଖପାଖ ଅଞ୍ଚଳରେ ଦଳ ଦଳ କୃଷ୍ଣସାର ମୃଗ ଘୁରିବା ଦେଖିବାକୁ ମିଳୁଛି, ଯାହା ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଖୁସି ଓ ଗର୍ବର କାରଣ ହୋଇଛି।
ସ୍ଥାନୀୟ ଭାଷାରେ ଏହି କୃଷ୍ଣସାର ମୃଗଙ୍କୁ ‘କଳା ବହୁତୀୟା’ କିମ୍ବା ‘ବାଲି ହରିଣ’ ବୋଲି ଡାକାଯାଏ। ଏହି ବିରଳ ପ୍ରଜାତିର ସୁରକ୍ଷା ପ୍ରତି ସ୍ଥାନୀୟ ଲୋକେ ମଧ୍ୟ ବେଶ ସଚେତନ ଓ ସହଯୋଗୀ। ତାଙ୍କ ଯୋଗୁଁ ଏହି ଅଞ୍ଚଳରେ କୃଷ୍ଣସାର ମୃଗ ନିର୍ଭୟରେ ଅବାଧ ଭାବେ ଘୁରିପାରୁଛନ୍ତି।ବନ ବିଭାଗ ଆଶା କରୁଛି ଯେ, ଚଳିତ ବର୍ଷର ଗଣନାରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ଆଉ ବଢ଼ିଥିବା ଚିତ୍ର ସାମ୍ନାକୁ ଆସିବ, ଯାହା ଏହି ବିରଳ ପ୍ରଜାତିର ସୁରକ୍ଷା ଓ ସଂରକ୍ଷଣ ପ୍ରୟାସର ସଫଳତାକୁ ପ୍ରତିବିମ୍ବିତ କରିବ।

