Thu. Oct 23rd, 2025

ନ୍ୟୁଜ ଡେକ୍ସ : ଅବପାତର ରୂପ ନେଲା ଦକ୍ଷିଣ ପୂର୍ବ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ । ଆସନ୍ତା ୨୪ ଘଣ୍ଟା ଭିତରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେବ । ଏହାର ପ୍ରଭାବରେ ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି ।

ଲଘୁଚାପ ପ୍ରଭାବରୁ ଗତ 24ଘଣ୍ଟାରେ ରାଜ୍ୟର ବିଶେଷ କରି ଉତ୍ତର ଓଡ଼ିଶାରେ ଭାରି ମାତ୍ରାରେ ବର୍ଷା ହୋଇଯାଇଛି । କେତେକ ସ୍ଥାନରେ ଭାରିରୁ ଅତି ଭାରି ମାତ୍ରାରେ ବର୍ଷା (୭ ରୁ ୨୦ ସେମି) ତଥା ଗୋଟିଏ ବା ଦୁଇଟି ସ୍ଥାନରେ ଅତ୍ୟନ୍ତଭାରି ବର୍ଷା (୨୧ ସେମି କିମ୍ବା ଅଧିକ) ହୋଇଛି । ଏପରି ଭାରି ବର୍ଷା ଯୋଗୁଁ ବର୍ଷା ଜଳ ଜମି ରହି ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଏନେଇ ଫ୍ଲାସ ଫ୍ଲଡ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, “ବର୍ଷା ସମୟରେ ମାଟିରେ ବର୍ଷା ପାଣି ଭିଜି ଭିଜି ମାଟିର ଧିରେ ଧିରେ ପାଣି ଶୋଷିବାର କ୍ଷମତା କମିଯାଏ । ଫଳରେ ଧିରେଧିଏ ବର୍ଷା ଜଳ ମାଟି ଉପରେ ଜମି ରହେ । ବର୍ଷାର ମାତ୍ରା ବଢିଲେ ଜଳ ଜମି ରହିବା ଦ୍ବାରା ଜଳସ୍ତର ବୃଦ୍ଧି ପାଇଥାଏ । ଏହା ଦ୍ବାରା ବନ୍ୟା ପରିସ୍ଥିତି ଉପୁଜିଥାଏ । ବନ୍ୟା ଆଗରୁ ପ୍ରଶାସନ ପକ୍ଷରୁ ଆଲର୍ଟ ଜାରି କରାଯାଇଥାଏ ।

ଯାହା ଦ୍ବାରା ପ୍ରଶାସନ ଯଥୋଚିତ ପଦକ୍ଷେପ ନେବା ସହିତ ଆଗାମୀ ବନ୍ୟା ପରିସ୍ଥିତି ପାଇଁ ଲୋକମାନଙ୍କୁ ସଚେତନ କରାଯାଇଥାଏ ।” ଆସନ୍ତା 24ଘଣ୍ଟା ପାଇଁ ବିଶେଷ କରି ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା,ସମ୍ବଲପୁର,ସୁନ୍ଦରଗଡ ଜିଲ୍ଲା ପାଇଁ ଜଳଭଣ୍ଡାର ଓ ଏହାର ଆଖପାଖ ଅଞ୍ଚଳରେ ଜଳ ପ୍ରବାହ ସ୍ଥିତି ଯୋଗୁଁ ସାମ୍ଭାବ୍ୟ ଅଚାନକ ବନ୍ୟା ପରିସ୍ଥିତି ବା ଫ୍ଲାସଫ୍ଲଡ ହେବାର ସମ୍ଭାବନା ରହିଛି । ଏନେଇ ସ୍ଥାନୀୟ ବାସିନ୍ଦାମାନଙ୍କୁ ସତର୍କ ରହିବା ପାଇଁ ସୂଚିତ କରାଯାଇଛି ।

ବନ୍ୟା ଦ୍ବାରା ପନିପରିବା ଫସଲ ଚାଷ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଅତ୍ୟଧିକ ଜଳ ପ୍ରବାହ ଯୋଗୁଁ ଜଳବନ୍ଦୀ ଭଳି ବିଭିନ୍ନ ସମସ୍ୟା ଉପୁଜିପାରେ । ଏନେଇ ବ୍ୟାପକ ସତର୍କତା ଅବଲମ୍ବନ କରାଯାଉଛି । ଆସନ୍ତା 24ଘଣ୍ଟା ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାରେ ସତର୍କ ରହିବା ପାଇଁ ନିକଟସ୍ଥ ଜିଲ୍ଲାପ୍ରଶାସନ ଓ ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କୁ ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚିତ କରାଯାଇଛି ।

Leave a Reply

Your email address will not be published. Required fields are marked *