ନ୍ୟୁଜ ଡେକ୍ସ : ଆସନ୍ତା ୨୮ ତାରିଖ ମଙ୍ଗଳବାର ସଂଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରେ ‘ମୋନ୍ଥା’ (Cyclone Montha) ଭୀଷଣ ବାତ୍ୟା ରୂପେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଦେଇଛି। ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଜିଲ୍ଲାଗୁଡ଼ିକ—ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ ଓ ରାୟଗଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ପବନ ବେଗ ଘଣ୍ଟା ପ୍ରତି ୯୦ ରୁ ୧୦୦ କି.ମି. ପର୍ଯ୍ୟନ୍ତ ଥିବା ଅନୁମାନ ରହିଛି।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପୂରା ସଜାଗ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ଯେ, ବାତ୍ୟା ପ୍ରଭାବିତ ଅଞ୍ଚଳର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ।ସେ ଅଧିକ କହିଛନ୍ତି, ଗର୍ଭବତୀ ମହିଳାଙ୍କୁ ଯେପରି ଆପତ୍ତିଜନକ ପରିସ୍ଥିତି ଦେଖିଲେ, ତୁରନ୍ତ ସରକାରୀ ଚିକିତ୍ସାଳୟକୁ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀମାନଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ଯେ, ଗାଁ ଗାଁରେ ଲୋକମାନଙ୍କ ସୁରକ୍ଷା ନିଶ୍ଚିତ କରିବେ ଓ ଆପତ୍ତି ସମୟରେ ସହଯୋଗ କରିବେ। ବିଭିନ୍ନ ବିଭାଗ ତରଫରୁ ପୂର୍ବାପରିକାଳନା ଭିତ୍ତିକ ଯୋଜନା ପ୍ରସ୍ତୁତ ହୋଇଛି।
ବିଦ୍ୟୁତ, ଜଳପାନ, ଆଶ୍ରୟ, ଓ ଚିକିତ୍ସା ସୁବିଧା ନେଇ ରାଜ୍ୟ ସରକାର ପୂରା ସତର୍କ ଅଛି।ଉପମୁଖ୍ୟମନ୍ତ୍ରୀ ପରିଡ଼ା ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ଯେ, ଅତିରିକ୍ତ ଭୟଭୀତ ହେବା ଦରକାର ନାହିଁ, ସରକାର ଆପଣଙ୍କ ସହ ଅଛି ଓ ସମସ୍ତ ପ୍ରସ୍ତୁତି ହୋଇଯାଇଛି।ପାଣିପାଗ ବିଭାଗର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି, ବାତ୍ୟାର ପ୍ରଭାବ ୨୭ ତାରିଖ ସୋମବାରଠାରୁ ଆଗାମୀ ୪ ଦିନ ପର୍ଯ୍ୟନ୍ତ ରହିପାରେ। ସେହିପାଇଁ ସମୁଦ୍ରତଟ ଓ ନିମ୍ନାଞ୍ଚଳ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି।

