ନ୍ୟୁଜ ଡେକ୍ସ: ଦିନରେ ତତାଇବ । କଲବଲ କରିବ । ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଅନୁଭୂତ ହେବ । ଆସନ୍ତା ତିନି ଦିନରେ ଅନେକ ସ୍ଥାନର ତାପମାତ୍ରା ପ୍ରାୟ ୩ ଡିଗ୍ରୀ ବଢ଼ିଯିବ । ଦିନବେଳା ଗରମ ଓ ଗୁଳୁଗୁଳି ନାକେଦମ କରିବ । କିନ୍ତୁ ସନ୍ଧ୍ୟାରେ ମାଡ଼ି ଆସିବ କାଳବୈଶାଖୀ । ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବ ।
ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ବି ଡରାଇବ କାଳବୈଶାଖୀ । ଗତକାଲି ରାଜ୍ୟର ୧୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ୪୩ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଖରା ଓ ଗୁଳୁଗୁଳି ପ୍ରଭାବ ଜାରି ରହିବ।ସେହିପରି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଆଦ୍ରତା ପରିମାଣ ପ୍ରାୟ ୬୦-୭୦ ପ୍ରତିଶତ ରହିଛି। ଯାହାକି ଗୁଳୁଗୁଳି କରାଇବା ପାଇଁ ପରିବେଶକୁ ସୁହାଇଛି। ଅନ୍ୟପଟେ ୨୦ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି। ଏନେଇ ୨୦ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି।
ଶୁକ୍ରବାର ଓ ଶନିବାର ମଧ୍ୟ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୮ ଓ ୧୯ ତାରିଖରେ ମଧ୍ୟ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । ସନ୍ଧ୍ୟାରେ ବର୍ଷା ସମ୍ଭାବନା ଥିବାରୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ମଙ୍ଗଳବାର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଦକ୍ଷିଣ ବଙ୍ଗାପସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦୀପ ଓ ଉତ୍ତର ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି ।
ଆଗାମୀ ୩ରୁ ୪ ଦିନ ଭିତରେ ଦକ୍ଷିଣ ଆରବ ସାଗରର କିଛି ଅଂଶ, ମାଳଦ୍ୱୀପ ଓ କୋମାରିନ୍ ଅଞ୍ଚଳ, ଦକ୍ଷିଣ ବଙ୍ଗୋପସାଗରର କିଛି ଅଂଶ, ପୂରା ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ, ଆଣ୍ଡାମାନ ସାଗରର ଅବଶିଷ୍ଟ ଅଂଶ, କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶକୁ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି ।
