ନ୍ୟୁଜ ଡେକ୍ସ : ଓଡ଼ିଶାରେ ଶୀତର ପ୍ରକୋପ ଆହୁରି ବଢ଼ିବ। ଆସନ୍ତା ୬ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ଲଗାତାର ତଳମୁହାଁ ହେଉଥିବା ବେଳେ ଶୀତର ଅନୁଭୂତି ଅଧିକ ହେଉଛି।ଗତକାଲି ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ସେଲସିଅସ୍ ରେକର୍ଡ ହୋଇଥିବା ବେଳେ ଆଜି ଘୁ. ଉଦୟଗିରିରେ ପାରଦ ସ୍ତର ଆହୁରି ଖସି ୩.୧ ଡିଗ୍ରୀକୁ ପହଞ୍ଚିଛି।
ସେହିଭଳି ଶିମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ, ଫୁଲବାଣୀରେ ୫.୫ ଡିଗ୍ରୀ ଏବଂ ଦାରିଙ୍ଗବାଡ଼ିରେ ୬.୫ ଡିଗ୍ରୀ ରେକର୍ଡ କରାଯାଇଛି।ରାଜଧାନୀ ଭୁବନେଶ୍ୱରରେ ରାତି ତାପମାତ୍ରା ହାଲୁକା ବଢ଼ିଥିଲେ ମଧ୍ୟ ଶୀତର ଅନୁଭୂତି ଜାରି ରହିଛି। ଗତକାଲି ରାତିରେ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୨.୬ ଡିଗ୍ରୀ ସେଲସିଅସ୍ ରେକର୍ଡ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ କିଛି ଦିନ ମଧ୍ୟରେ ରାଜ୍ୟରେ ଦିନର ସର୍ବାଧିକ ତାପମାତ୍ରା ୨୯ ଡିଗ୍ରୀ ଏବଂ ରାତିର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ଚାରିପାଖରେ ରହିପାରେ।
ଏହା ସହ ଆଜି ଅନୁଗୁଳ, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଶୀତଲହରୀ ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତଦୁପରି, ୧୪ ତାରିଖ ସକାଳ ପର୍ଯ୍ୟନ୍ତ ସୁନ୍ଦରଗଡ଼, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି।ଶୀତର ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କୁ ସତର୍କ ରହିବା ସହ ଆବଶ୍ୟକ ସାବଧାନତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

