ନ୍ୟୁଜ ଡେକ୍ସ : ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଜୋରଦାର ଚଢ଼ାଉ କରାଯାଇଛି। ବାଲେଶ୍ୱର ଚୂନ ଭାଟି ନିକଟରେ ଅବସ୍ଥିତ ସାଇ ଗାର୍ଡେନ ଉପରେ ଭିଜିଲାନ୍ସ ଟିମ ଚଢ଼ାଉ କରିଥିବା ସୂଚନା ମିଳିଛି। ଏହାସହ ରବୀନ୍ଦ୍ର କୁମାର ବାରିକଙ୍କ ବାଲେଶ୍ୱରରେ ଥିବା ବିଭିନ୍ନ ସମ୍ପତ୍ତି ଉପରେ ମଧ୍ୟ ରେଡ୍ ହୋଇଛି।ସୂଚନା ଅନୁସାରେ ରବୀନ୍ଦ୍ର କୁମାର ବାରିକ ସୁନ୍ଦରଗଡ଼ ଜିଲ୍ଲାରେ ସିଭିଲ ସପ୍ଲାଏ ଅଫିସ୍ରେ ଜୁନିଅର ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟରତ।
ତାଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତ୍ତି ସଂଗ୍ରହ ଅଭିଯୋଗ ଆଧାରରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି।ବାଲେଶ୍ୱରର ସ୍ୱତନ୍ତ୍ର ବିଚାରପତି (ଭିଜିଲାନ୍ସ)ଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ କାର୍ଯ୍ୟ ଚାଲିଛି। ୩ ଜଣ ଡିଏସ୍ପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ସମେତ ଭିଜିଲାନ୍ସ ଟିମ୍ ବାଲେଶ୍ୱର ଏବଂ ସୁନ୍ଦରଗଡ଼ ଜିଲ୍ଲାର ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି।
ଚଢ଼ାଉ ସମୟରେ ଦଲିଲପତ୍ର, ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସମ୍ପତ୍ତି ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରାଯାଉଥିବା ସୂଚନା ମିଳିଛି। ରେଡ୍ ଶେଷ ହେବା ପରେ ଆୟବର୍ହିଭୂତ ସମ୍ପତ୍ତିର ପରିମାଣ ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ସୂତ୍ର କହିଛନ୍ତି।

