ନ୍ୟୁଜ ଡେକ୍ସ : ରାଜ୍ୟରେ ସରକାରୀ ସ୍ୱାସ୍ଥ୍ୟ ଯୋଜନାର ଟଙ୍କା ଲୁଟିବାକୁ କିଛି ଘରୋଇ ହସ୍ପିଟାଲ୍ ନୂଆ ଉପାୟ ଆପଣାଇଥିବା ଅଭିଯୋଗ ଉଠିଛି। ଆୟୁଷ୍ମାନ ଭାରତ ଯୋଜନାରେ ସରକାର ନିର୍ଦ୍ଧାରିତ ପ୍ୟାକେଜ୍ ଦର କଡାକଡି ରହିଥିବା ବେଳେ କିଛି ହସ୍ପିଟାଲ୍ ଏହାର ଗଳାବାଟ ବାହାର କରି ରୋଗୀଙ୍କୁ ଅନାବଶ୍ୟକ ଭାବେ ହସ୍ପିଟାଲ୍ରେ ରଖୁଥିବା ନଜରକୁ ଆସିଛି।
ସରକାରଙ୍କ ପ୍ୟାକେଜ୍ ଦର ସୁହାଉ ନଥିବା କହି ଅତିରିକ୍ତ ଦିନ ଭର୍ତ୍ତି ରଖି ଅର୍ଥ ଭରଣା କରିବା ଚେଷ୍ଟା କରାଯାଉଛି।ଓଡ଼ିଶାରେ ଗତବର୍ଷଠାରୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇଥିବା ବେଳେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମଧ୍ୟ ପୂର୍ବଭଳି ଚାଲୁଛି। ଏହି ଯୋଜନାରେ ରୋଗୀମାନେ ସୁବିଧା ପାଇବାକୁ ଥିବା ବେଳେ କିଛି ହସ୍ପିଟାଲ୍ ଅର୍ଥ ଶୋଷଣ ଆରମ୍ଭ କରିଥିବା ଅଭିଯୋଗ ହେଉଛି।କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳର ଜଣେ ମହିଳା ଚଳିତମାସ ୧୮ ତାରିଖରେ ଭୁବନେଶ୍ୱରର ଏକ ପ୍ରମୁଖ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ଗତ ୨୩ ତାରିଖରେ ଚିକିତ୍ସାକାରୀ ଡାକ୍ତର ତାଙ୍କୁ ଡିସ୍ଚାର୍ଜ କରିବାକୁ ପରିବାରକୁ ଜଣାଇଥିଲେ। କିନ୍ତୁ ହସ୍ପିଟାଲ୍ର ରୁମ୍ କେୟାର ବିଭାଗ ଡିସ୍ଚାର୍ଜ ନେଇ ଅନୁମୋଦନ ଦେବାକୁ ଥିବା କହି ଦିନ ଗଡ଼ାଇ ଚାଲିଥିଲା। ଶନିବାର ଓ ରବିବାର ବିଭିନ୍ନ ଅଜହାର ଦେଇ ରୋଗୀଙ୍କୁ ରଖାଯାଇଥିଲା।
ହସ୍ପିଟାଲ୍ ପକ୍ଷରୁ କୁହାଯାଇଥିଲା ଯେ ମୋଟ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଆୟୁଷ୍ମାନ କାର୍ଡ ମାଧ୍ୟମରେ କେବଳ ୧୫ ହଜାର ଟଙ୍କା ପ୍ୟାକେଜ୍ ଦର ମିଳିବ। ତେଣୁ ବଳକା ଅର୍ଥ ପୂରଣ ପାଇଁ ରୋଗୀଙ୍କୁ ଅଧିକ ୩ ଦିନ ରଖିବାକୁ ପଡ଼ିବ ବୋଲି ସୂଚନା ଦିଆଯାଇଥିଲା। ପରେ ପରିବାରଲୋକ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିବା ସହ ଆୟୁଷ୍ମାନ ଯୋଜନାର ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ଏହାପରେ ସୋମବାର ସନ୍ଧ୍ୟାରେ ରୋଗୀଙ୍କୁ ଡିସ୍ଚାର୍ଜ କରାଯାଇଥିଲା।ରୋଗୀ ସୁସ୍ଥ ହୋଇଥିଲେ ସତ୍ତ୍ୱେ ତାଙ୍କୁ ହସ୍ପିଟାଲ୍ରେ ରଖି ମାନସିକ ଚାପ ସୃଷ୍ଟି କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପ୍ୟାକେଜ୍ ୱାଲେଟ୍ର ଅର୍ଥ ଖର୍ଚ୍ଚ କରିବାକୁ ଏହିପରି ଉପାୟ ଅପନାଇ ହେଉଛି କି ନାହିଁ ନେଇ ପ୍ରଶ୍ନ ଉଠିଛି।
ଡାକ୍ତର ଡିସ୍ଚାର୍ଜ ପାଇଁ ସୁପାରିଶ କରୁଥିବା ବେଳେ ପ୍ରଶାସନିକ ଭାବେ ରୋଗୀଙ୍କୁ ରଖାଯାଉଥିବାରୁ ସନ୍ଦେହ ଜନ୍ମ ନେଇଛି। ଓଡ଼ିଶା ସ୍ୱାସ୍ଥ୍ୟ ନିରାକରଣ ସମିତିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯଦି ରୋଗୀଙ୍କ ସମସ୍ତ ମାନଦଣ୍ଡ ସଠିକ୍ ରହିଛି ଓ ଅଧିକ ରଖିବା ଆବଶ୍ୟକ ନୁହେଁ, ତେବେ ଏଭଳି ଭର୍ତ୍ତି ଦର୍ଶାଇବା ଠିକ୍ ନୁହେଁ। ଏହାକୁ ଠକେଇ ମାମଲା ଭାବେ ନୁହେଁ, ଅଡିଟ୍ ଅବଜରଭେସନ୍ ଭାବେ ଦେଖାଯାଉଛି। ଯଦି ଲଗାତାର ଏଭଳି ଘଟଣା ଧରାପଡ଼ିବ ଓ କ୍ଷେତ୍ରସ୍ତରୀୟ ଅନୁସନ୍ଧାନରେ ପ୍ରମାଣିତ ହେବ, ତେବେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।ସମିତିର ୩ଟି ଟିମ୍ କ୍ଷେତ୍ରସ୍ତରରେ ଅନୁସନ୍ଧାନ କରୁଛନ୍ତି ଏବଂ କିଛି ହସ୍ପିଟାଲ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ଲିଖିତ ଅଭିଯୋଗ ମିଳିଲେ ଆଗାମୀ ଦିନରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

