Sat. Feb 21st, 2026

ନ୍ୟୁଜ ଡେକ୍ସ : ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରମାନଙ୍କ ଦରମା ବୃଦ୍ଧି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଆୟୁଷ ଡାକ୍ତରମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକାର କରି ସେମାନଙ୍କୁ ଆହୁରି ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, NHM ଅଧୀନରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନଙ୍କ ଦରମା ବରିଷ୍ଠତା ଓ ସେବା ଅବଧି ଆଧାରରେ ମାସକୁ ୨୦ ହଜାର ଟଙ୍କାରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।୫ ବର୍ଷରୁ କମ ସମୟ ସେବା ଦେଇଥିବା ଆୟୁଷ ଡାକ୍ତରମାନଙ୍କ ପାଇଁ ମାସିକ ୨୦ ହଜାର ଟଙ୍କା ବୃଦ୍ଧି ହୋଇ ସେମାନଙ୍କ ନ୍ୟୁନତମ ଦରମା ୫୬,୯୪୮ ଟଙ୍କାକୁ ପହଞ୍ଚିଛି। ସେହିପରି ୫ରୁ ୧୦ ବର୍ଷ ମଧ୍ୟରେ ସେବା କରୁଥିବା ଡାକ୍ତରମାନଙ୍କ ଦରମା ୨୫ ହଜାର ଟଙ୍କା ବୃଦ୍ଧି ପାଇ ୭୪,୪୬୭ ଟଙ୍କା ହୋଇଛି।୧୦ରୁ ୧୫ ବର୍ଷ ସେବା ଦେଇଥିବା ଆୟୁଷ ଡାକ୍ତରମାନଙ୍କ ପାଇଁ ମାସିକ ୩୦ ହଜାର ଟଙ୍କା ବୃଦ୍ଧି ହୋଇ ଦରମା ୮୦,୪୬୭ ଟଙ୍କାରେ ପହଞ୍ଚିଥିବା ବେଳେ, ୧୫ ବର୍ଷରୁ ଅଧିକ ସମୟ ସେବା ଦେଇଥିବା ଡାକ୍ତରମାନଙ୍କ ଦରମା ୪୦ ହଜାର ଟଙ୍କା ବୃଦ୍ଧି ପାଇ ୯୧,୪୬୭ ଟଙ୍କାକୁ ବୃଦ୍ଧି ପାଇଛି।ରାଜ୍ୟରେ ବର୍ତ୍ତମାନ ୨,୯୧୨ ଜଣ ଆୟୁଷ ଡାକ୍ତର କାର୍ଯ୍ୟରତ ଅଛନ୍ତି।

ଏହି ନିଷ୍ପତ୍ତି ପରେ ରାଜ୍ୟ ସରକାର ବର୍ଷକୁ ପ୍ରାୟ ୧ କୋଟି ଟଙ୍କା ଅଧିକ ବ୍ୟୟ କରିବେ। ସରକାରର ଏହି ପଦକ୍ଷେପ ଦ୍ୱାରା ଆୟୁଷ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ସହ ଡାକ୍ତରମାନଙ୍କ ମନୋବଳ ବଢ଼ିବ ବୋଲି ଆଶା କରାଯାଉଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆୟୁଷ ଡାକ୍ତରମାନେ ରାଜ୍ୟର ଗ୍ରାମାଞ୍ଚଳ ଓ ସହର ଉଭୟ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଅଛନ୍ତି। ସେମାନଙ୍କୁ ଯଥୋଚିତ ସମ୍ମାନ ଓ ପ୍ରୋତ୍ସାହନ ମିଳିଲେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଆହୁରି ମଜବୁତ ହେବ।

Leave a Reply

Your email address will not be published. Required fields are marked *