ନ୍ୟୁଜ ଡେକ୍ସ : ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା, ବିଶେଷକରି ରାଉରକେଲା, ପୁଣିଥରେ କେନ୍ଦ୍ର ସରକାରଙ୍କ ଅବହେଳାର ସିକାର ହୋଇଛି। ଜିଲ୍ଲାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଦୀର୍ଘଦିନ ଧରି ଅପର୍ଯ୍ୟାପ୍ତ ଥିବା ସତ୍ତ୍ୱେ ଏଠାରେ ଏକ ନୂଆ ମେଡିକାଲ କଲେଜ ଓ ହସପିଟାଲ ସ୍ଥାପନ ପାଇଁ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୃଢ଼ ପଦକ୍ଷେପ ଦେଖାଯାଉନି।
ଚଳିତ ୨୦୨୬-୨୭ ଆର୍ଥିକ ବର୍ଷରେ ଦେଶରେ ୧୦ଟି ନୂଆ ଇଏସ୍ଆଇସି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ର ଶ୍ରମ ଓ କର୍ମ ନିୟୋଜନ ମନ୍ତ୍ରାଳୟ ଅଧୀନସ୍ଥ ଇଏସ୍ଆଇସି ମେଡିକାଲ ଏଜୁକେସନ ସେଲ୍ ପକ୍ଷରୁ ଘୋଷଣା କରାଯାଇଥିଲା। ସମସ୍ତ ମାନଦଣ୍ଡ ପୂରଣ କରୁଥିବା ସତ୍ତ୍ୱେ ରାଉରକେଲାକୁ ଏଥର ମଧ୍ୟ ଏହି ତାଲିକାରୁ ବାଦ ଦିଆଯାଇଛି। ଗତ ୧୪ ତାରିଖରେ ପ୍ରକାଶିତ ବିଜ୍ଞପ୍ତିରେ ରାଉରକେଲା ପରିବର୍ତ୍ତେ ଭୁବନେଶ୍ବରକୁ ପ୍ରାଥମିକତା ଦିଆଯାଇଥିବାରୁ ଅଞ୍ଚଳବାସୀ ମଧ୍ୟରେ ଅସନ୍ତୋଷ ବଢ଼ିଛି।ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାୟ ୨ ଲକ୍ଷରୁ ଅଧିକ ଇଏସ୍ଆଇସି ବୀମାଧାରୀ ଥିବା ସତ୍ତ୍ୱେ ସେମାନଙ୍କ ପାଇଁ ଉତ୍କୃଷ୍ଟମାନର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ନ ହେବାକୁ ନେଇ ପ୍ରଶ୍ନ ଉଠିଛି।
ଅନ୍ୟପଟେ ଭୁବନେଶ୍ବରରେ ପୂର୍ବରୁ ୧୪ରୁ ଅଧିକ ଇଏସ୍ଆଇସି ସହବନ୍ଧିତ ହସପିଟାଲ ଓ ୨୦ରୁ ଅଧିକ ମେଡିକାଲ କଲେଜ ରହିଥିବା ସତ୍ତ୍ୱେ ପୁଣି ସେଠାକୁ ପ୍ରାଥମିକତା ମିଳିବାକୁ ନେଇ ଆକ୍ଷେପ କରାଯାଇଛି।ଇଏସ୍ଆଇସି ମେଡିକାଲ କଲେଜ ରାଉରକେଲା ଆକ୍ସନ କମିଟି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛି। ଏହାର ପ୍ରତିବାଦରେ ବିଶ୍ରା ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆକ୍ସନ କମିଟି କହିଛି, ୨୦୦୯ ମସିହାରୁ ରାଉରକେଲାବାସୀ ଏହି ନ୍ୟାୟସଂଗତ ଦାବି ଉଠାଇଆସୁଥିବା ସତ୍ତ୍ୱେ ସରକାର ଜାଣିଶୁଣି ଅଣଦେଖା କରୁଛନ୍ତି।ଦାବି ପୂରଣ ନହେଲେ ଆଗାମୀ ଦିନରେ ରେଳ ରୋକୋ, ରାଉରକେଲା ବନ୍ଦ ସହ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଆକ୍ସନ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।

