Sat. Feb 21st, 2026

ନ୍ୟୁଜ ଡେକ୍ସ :ମଧ୍ୟ-ପ୍ରାଚ୍ୟରେ ପୁଣିଥରେ ଯୁଦ୍ଧର କଳାବାଦଲ ଘନୀଭୂତ ହେଉଛି। ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଏବେ ଚରମ ସୀମାକୁ ପହଞ୍ଚିଛି। ସାମରିକ ପଦକ୍ଷେପ ନେଇ ଦୁଇ ଦେଶର କଠୋର ଅବସ୍ଥାନ ଆନ୍ତର୍ଜାତୀୟ ମଞ୍ଚରେ ଚିନ୍ତା ବଢ଼ାଇଛି।ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ସାମରିକ ଆକ୍ରମଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଥିବା ସୂଚନା ମିଳିଛି।

ପେଣ୍ଟାଗନ୍ ଓ ପ୍ରଶାସନିକ ଅଧିକାରୀଙ୍କ ମତାନୁସାରେ ଏହି ସପ୍ତାହ ଶେଷ ସୁଦ୍ଧା ଆମେରିକା ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ଆମେରିକାର ସାମରିକ ଶକ୍ତି ଏବେ ଇରାନକୁ ଘେରିବା ପାଇଁ ସଜଗ ଅବସ୍ଥାନରେ ରହିଛି।ବିଶ୍ୱର ସବୁଠାରୁ ଆଧୁନିକ ବିମାନବାହୀ ଯୁଦ୍ଧଜାହାଜ USS Gerald R. Ford ଏବଂ USS Abraham Lincoln କୁ ଇରାନ ଅଭିମୁଖେ ପଠାଯାଇଛି। ଏହା ସହ ୫୦ରୁ ଅଧିକ ଅତ୍ୟାଧୁନିକ ଲଢୁଆ ବିମାନ, ରିଫ୍ୟୁଏଲିଂ ଟ୍ୟାଙ୍କର ଓ ପାଟ୍ରିଅଟ୍ ମିସାଇଲ୍ ଡିଫେନ୍ସ ସିଷ୍ଟମ ମଧ୍ୟ ମୁତୟନ କରାଯାଇଛି। ରାଷ୍ଟ୍ରପତି ଟ୍ରମ୍ପ ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ ଇରାନକୁ କୌଣସି ପରିସ୍ଥିତିରେ ପରମାଣୁ ଅସ୍ତ୍ର ତିଆରି କରିବାକୁ ଦିଆଯିବ ନାହିଁ। ଯଦିଓ ଜେନେଭା ରେ କୂଟନୈତିକ ଆଲୋଚନା ଚାଲିଛି, କିନ୍ତୁ ଆମେରିକା ପ୍ରଶାସନ ଏହାର ସଫଳତା ନେଇ ସନ୍ଦେହ ପ୍ରକାଶ କରିଛି।

ଅନ୍ୟପଟେ ଇସ୍ରାଏଲ ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ ଇରାନର ମିସାଇଲ୍ କ୍ଷମତାକୁ ନଷ୍ଟ କରିବା ପାଇଁ ଆମେରିକା ଉପରେ ଚାପ ସୃଷ୍ଟି କରୁଥିବା କୁହାଯାଉଛି।ଯଦି ଏହି ଉତ୍ତେଜନା ଯୁଦ୍ଧର ରୂପ ନିଏ, ତେବେ ତାହା କେବଳ ଇରାନକୁ ନୁହେଁ, ସାରା ବିଶ୍ୱର ଅର୍ଥନୀତିକୁ ମଧ୍ୟ ଗଭୀର ପ୍ରଭାବିତ କରିପାରେ। ଇରାନ ପକ୍ଷରୁ ମଧ୍ୟ ପାଲଟା କାର୍ଯ୍ୟାନୁଷ୍ଠାନର ସତର୍କବାଣୀ ଦିଆଯାଇଛି, ଯାହା ଅଞ୍ଚଳୀୟ ସ୍ଥିରତାକୁ ଆହୁରି ଅନିଶ୍ଚିତ କରିଦେଇଛି।

Leave a Reply

Your email address will not be published. Required fields are marked *