Thu. Mar 5th, 2026

ନ୍ୟୁଜ ଡେକ୍ସ : ଇରାନ ଉପରେ ଚାଲୁଥିବା ଆକ୍ରମଣକୁ ନେଇ ଆମେରିକା ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଅପରେସନ ଏପିକ ଫ୍ୟୁରୀ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ୧୭ଟି ଜାହାଜକୁ ଡୁବାଇ ଦିଆଯାଇଥିବା ସହ ଇରାନର ପ୍ରାୟ ୨ ହଜାର ଟାର୍ଗେଟକୁ ହିଟ୍ କରାଯାଇଛି ବୋଲି ଆମେରିକା ଦାବି କରିଛି। ଏହି ଅଭିଯାନ ଅଧିନରେ ଇରାନର ବିଭିନ୍ନ ସାମରିକ ଓ କୌଶଳୀକ ସ୍ଥାନକୁ ଲକ୍ଷ୍ୟ କରାଯାଇଥିବା କୁହାଯାଉଛି।

ଆମେରିକା କହିଛି ଯେ, ଇରାନ ଉପରେ ଆକ୍ରମଣ ପାଇଁ ୫୦ ହଜାର ସୈନ୍ୟ ଓ ୨୦୦ଟି ଯୁଦ୍ଧ ବିମାନ ମୁତୟନ କରାଯାଇଛି। ଏହା ସହ ଆକାଶ ଓ ସମୁଦ୍ର ପଥରୁ ଯୁଗପତ୍ ଆକ୍ରମଣ ଚାଲିଥିବା ସୂଚନା ମିଳିଛି। ପଶ୍ଚିମ ଏସିଆରେ ଏହି ସଂଘର୍ଷ ଦିନକୁ ଦିନ ଭୟାବହ ଆକାର ନେଉଛି।ଏପଟେ ଇସ୍ରାଏଲ ମଧ୍ୟ ଇରାନର ବିଭିନ୍ନ ସ୍ଥାନରେ ଆକ୍ରମଣ ଜାରି ରଖିଛି। ଲେବାନନସ୍ଥିତ ହେଜବୁଲ୍ଲା ଗଠନକୁ ଲକ୍ଷ୍ୟ କରି ବେରୁଟ ଆଖପାଖରେ ହମଲା କରାଯାଇଛି। ସେପଟେ ଇରାକର କୁର୍ଦ୍ଦ ଅଧିକୃତ ଅଞ୍ଚଳରେ ଡ୍ରୋନ ଆକ୍ରମଣ ହୋଇଥିବା ଖବର ମିଳିଛି। ଲେବାନନ ସୀମା ଦିଗକୁ ସିରିଆ ହଜାର ହଜାର ସେନା ପଠାଇଥିବାରୁ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି।

ସେପଟେ ଭୂମଧ୍ୟସାଗର ଅଞ୍ଚଳକୁ ଫ୍ରାନ୍ସ ତାଙ୍କର ଆଣବିକ ଶକ୍ତି ସମ୍ପନ୍ନ ବିମାନବାହୀ ଯୁଦ୍ଧଜାହାଜ ଚାର୍ଲସ ଡି ଗୁଏଲିକୁ ପଠାଇଛି। ଏହି ଯୁଦ୍ଧଜାହାଜ ମୁତୟନ ହେବା ସହ ଯୁଦ୍ଧର ଗତିପରିଣାମ ପରିବର୍ତ୍ତିତ ହେବା ନେଇ ଆଶଙ୍କା ବଢ଼ିଛି। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ କହିଛନ୍ତି ଯେ, ମିତ୍ର ଶକ୍ତିଙ୍କ ସୁରକ୍ଷା ପାଇଁ କିଛି ଡ୍ରୋନକୁ ଖସାଇ ଦିଆଯାଇଛି।ପୂର୍ବରୁ ବ୍ରିଟେନ, ଜର୍ମାନୀ ଓ ଫ୍ରାନ୍ସ ଯୁଦ୍ଧରେ ସାମିଲ ହେବେ ନାହିଁ ବୋଲି ଘୋଷଣା କରିଥିଲେ। କିନ୍ତୁ ବର୍ତ୍ତମାନ ଫ୍ରାନ୍ସର ସକ୍ରିୟ ଭୂମିକା ନେବାରୁ ଆନ୍ତର୍ଜାତୀୟ ସ୍ତରରେ ନୂତନ ଚର୍ଚ୍ଚା ଆରମ୍ଭ ହୋଇଛି। ପଶ୍ଚିମ ଏସିଆରେ ଏହି ସଂଘର୍ଷ କେଉଁ ଦିଗକୁ ଗତି କରିବ ତାହାକୁ ନେଇ ବିଶ୍ୱ ସମୁଦାୟ ଗଭୀର ନଜର ରଖିଛି।

Leave a Reply

Your email address will not be published. Required fields are marked *