ନ୍ୟୁଜ ଡେକ୍ସ : ଇସ୍ରାଏଲ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିବା ପାଇଁ ବିଶେଷ ପ୍ରସ୍ତୁତି କରିଛି। ପ୍ରଧାନମନ୍ତ୍ରୀଙ୍କ ଦୁଇଦିନିଆ ଇସ୍ରାଏଲ୍ ଗସ୍ତ ପୂର୍ବରୁ ଇସ୍ରାଏଲର ସଂସଦ ନେସେଟ୍ ଭାରତୀୟ ତ୍ରିରଙ୍ଗା ରଙ୍ଗରେ ଆଲୋକିତ ହୋଇଥିବା ଦେଖାଯାଇଛି। ଏହାକୁ ଦୁଇ ଦେଶର ମଧ୍ୟରେ ଦୃଢ଼ ମିତ୍ରତାର ପ୍ରତୀକ ବୋଲି ମନେ କରାଯାଉଛି।ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ଅନେକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ବୋଲି ମତ ପ୍ରକାଶ ପାଉଛି।
ବର୍ତ୍ତମାନ ସମୟରେ ଇସ୍ରାଏଲ୍ ଓ ଇରାନ୍ ମଧ୍ୟରେ ତିକ୍ତତା ବଢ଼ିଥିବା ପରିସ୍ଥିତିରେ ଏହି ଗସ୍ତ କୂଟନୀତିକ ଭାବେ ଅଧିକ ମହତ୍ତ୍ୱ ରଖୁଛି। ଗସ୍ତ ସମୟରେ ପ୍ରତିରକ୍ଷା, ବାଣିଜ୍ୟ ଓ ବୈଷୟିକ ଜ୍ଞାନ କୌଶଳ ଭଳି ଗୁରୁତ୍ବପୂର୍ଣ୍ଣ ବିଷୟରେ ଉଚ୍ଚସ୍ତରୀୟ ଆଲୋଚନା ହେବାକୁ ଥିବା ସୂଚନା ମିଳିଛି।ଇସ୍ରାଏଲୀ ସଂସଦର ବାଚସ୍ପତି ଆମିର ଓହାନା ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ତ୍ରିରଙ୍ଗା ଆଲୋକରେ ଭାସୁଥିବା ସଂସଦ ଭବନର ଫଟୋ ସେୟାର କରିଛନ୍ତି। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇସ୍ରାଏଲକୁ ଦ୍ୱିତୀୟ ଗସ୍ତ, ଯାହା ୯ ବର୍ଷ ପରେ ହେଉଛି। ଏହି ଗସ୍ତ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଓ ବାଣିଜ୍ୟ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟ ରହିଛି।
ଏହା ସହିତ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ନୂତନ ମେଣ୍ଟ ଗଠନ କରିଥିବା ଘୋଷଣା କରିଛନ୍ତି। ସେ ଏହାର ନାଁ ରଖିଛନ୍ତି ‘ହେକ୍ସାଗନ୍ ଗଠବନ୍ଧନ’। ନେତାନ୍ୟାହୁଙ୍କ କହିବା ଅନୁଯାୟୀ, ମଧ୍ୟପ୍ରାଚ୍ୟରେ କଟ୍ଟରପନ୍ଥୀ ଚ୍ୟାଲେଞ୍ଜକୁ ମୁକାବିଲା କରିବା ପାଇଁ ଏହି ଗଠବନ୍ଧନ ଆବଶ୍ୟକ। ଏହି ମେଣ୍ଟରେ ଭାରତ ସହିତ ଇସ୍ରାଏଲ୍, ଗ୍ରୀସ୍ ଓ ସାଇପ୍ରସକୁ ସାମିଲ କରାଯାଇଥିବା ଜଣାପଡ଼ିଛି। ଆଗାମୀ ଦିନରେ କିଛି ଆରବୀ, ଆଫ୍ରିକୀୟ ଓ ଏସିଆନ୍ ଦେଶ ମଧ୍ୟ ଏଥିରେ ଯୋଗ ଦେଇପାରନ୍ତି ବୋଲି ସୂଚନା ମିଳିଛି।

