ନ୍ୟୁଜ ଡେକ୍ସ: ଇସ୍ରାଏଲ-ହେଜବୋଲ୍ଲା ମଧ୍ୟରେ ଯୁଦ୍ଧ ଜାରି ରହିଛି। ଲେବାନନରେ ହେଜବୋଲ୍ଲା ଆତଙ୍କବାଦୀ ସଂଗଠନକୁ ନିପାତ କରିବାକୁ ଇସ୍ରାଏଲ ଆକ୍ରମଣ ଜାରି ରଖିଥିବାବେଳେ ହେଜବୋଲ୍ଲା ପକ୍ଷରୁ ବି ପାଲଟା ଜବାବ ଦିଆଯାଉଛି। ଇରାନ ସମର୍ଥିତ ହିଜବୋଲ୍ଲା ବିରୋଧରେ ପୂର୍ଣ୍ଣ ଲଢେଇ ପାଇଁ ଘୋଷଣା କରିଛି। ପଛକୁ ହଟିବାକୁ ଇସ୍ରାଏଲ ନାରାଜ ।
ଗାଜାରେ ପାଲେଷ୍ଟିନୀୟ ଚରମପନ୍ଥୀ ସଂଗଠନ ହମାସକୁ ନିରବ କରିବା ପରେ ଏବେ ହିଜବୋଲ୍ଲାକୁ ଶେଷ କରିବା ପାଇଁ ଅଭିଯାନ ଚଳାଇଛି ଇସ୍ରାଏଲ୍ । ଏମିତି ନୁହେଁ ଯେ, ଆଗରୁ କେବେ ଇସ୍ରାଏଲ ଓ ହିଜବୋଲ୍ଲା ମୁହାଁମୁହିଁ ହୋଇନାହାନ୍ତି । ଦୁଇ ପକ୍ଷ ମଧ୍ୟରେ ଅତୀତରେ ବି ଯୁଦ୍ଧ ହୋଇଛି । ବ୍ୟାପକ କ୍ଷୟକ୍ଷତି ସହିଛନ୍ତି ଦୁଇ ପକ୍ଷ । ହେଜବୋଲ୍ଲା ମୁଖ୍ୟ ହସନ ନସରଲ୍ଲାକୁ ଇସ୍ରାଏଲ ଖୋଜୁଥିବାବେଳେ ଗତ ଶୁକ୍ରବାର ହୋଇଥିବା ଏୟାରଷ୍ଟ୍ରାଇକରେ ତା’ର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଶୁକ୍ରବାର ଦକ୍ଷିଣ ବେରୁଟରେ ହୋଇଥିବା ଏୟାରଷ୍ଟ୍ରାଇକରେ ନସରଲ୍ଲା ପ୍ରାଣ ହରାଇଥିବା ଇସ୍ରାଏଲ ଗୁଇନ୍ଦା ପକ୍ଷରୁ କୁହାଯାଇଛି।
ହେଲେ ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ଅନ୍ୟପଟେ ଇସ୍ରାଏଲ ଯୁଦ୍ଧ ବିମାନଗୁଡ଼ିକ ଦକ୍ଷିଣ ବେରୁଟରେ ଥିବା ହେଜବୋଲ୍ଲାର ଠିକଣାଗୁଡ଼ିକରେ ଆକାଶମାର୍ଗରୁ ବୋମା ବର୍ଷଣ ଜାରି ରଖିଛନ୍ତି। ଶନିବାର ରାତି ସାରା ଇସ୍ରାଏଲ ପକ୍ଷରୁ ବୋମାମାଡ଼ ହୋଇଥିଲା, ଯାହାକୁ ନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।