Sun. Feb 22nd, 2026

ନ୍ୟୁଜ ଡେକ୍ସ : ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶା ଧୀରେଧୀରେ ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପସନ୍ଦଯୋଗ୍ୟ ହବ୍‍ରେ ପରିଣତ ହେଉଛି। ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ବୃତ୍ତିଗତ ପ୍ରତିଷ୍ଠାନଗୁଡ଼ିକରେ ବିଦେଶୀ ଶିକ୍ଷାର୍ଥୀଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଥିବା ନେଇ ନିକଟରେ ପ୍ରକାଶିତ ନିତି ଆୟୋଗର ରିପୋର୍ଟରେ ଖୁଲାସା ହୋଇଛି।

ଭାରତରେ ଉଚ୍ଚଶିକ୍ଷାର ଅନ୍ତର୍ଜାତୀୟକରଣ ସମ୍ପର୍କିତ ଏହି ରିପୋର୍ଟ ଅନୁସାରେ ୨୦୨୧-୨୨ ଶିକ୍ଷାବର୍ଷରେ ଓଡ଼ିଶାକୁ ସର୍ବାଧିକ ସଂଖ୍ୟାରେ ବିଦେଶୀ ଛାତ୍ରଛାତ୍ରୀ ଶିକ୍ଷାଲାଭ ପାଇଁ ଆସିଛନ୍ତି। ରିପୋର୍ଟରେ ଭାରତର ବିଭିନ୍ନ ରାଜ୍ୟରେ ବିଦେଶୀ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଓ ବୃଦ୍ଧି ହାର ଉପରେ ପୁଙ୍ଖାନୁପୁଙ୍ଖ ତଥ୍ୟ ଦିଆଯାଇଛି। ଏହି ତଥ୍ୟ ଅନୁସାରେ ଓଡ଼ିଶା ଭାରତର ଶ୍ରେଷ୍ଠ ୧୦ଟି ରାଜ୍ୟ ମଧ୍ୟରେ ରହିଛି, ଯେଉଁଠାରେ ବିଦେଶୀ ଛାତ୍ରଛାତ୍ରୀଙ୍କୁ ସର୍ବାଧିକ ଆପଣାଯାଉଛି। ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି। ରିପୋର୍ଟର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଲା, ପୂର୍ବ ଭାରତର ବିଭିନ୍ନ ଶିକ୍ଷାନୁଷ୍ଠାନରେ ମୋଟ ୨୩୬୨ ବିଦେଶୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ, ସେଥିମଧ୍ୟରୁ କେବଳ କିଟ୍‍ ବିଶ୍ୱବିଦ୍ୟାଳୟରେ ପ୍ରାୟ ୨ହଜାର ବିଦେଶୀ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି।

କିଟ୍‍ରେ ବିଶ୍ୱର ୭୦ଟି ଦେଶରୁ ୨ହଜାରରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଅଧ୍ୟୟନ କରୁଛନ୍ତି।ଭାରତର ୫ଟି ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ସର୍ବାଧିକ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିବା ସଂସ୍ଥାଗୁଡ଼ିକ ତାଲିକାରେ କିଟ୍‍ ପଞ୍ଚମ ସ୍ଥାନରେ ରହିଛି। ଏପର୍ଯ୍ୟନ୍ତ ୫ହଜାରରୁ ଅଧିକ ବିଦେଶୀ ଛାତ୍ରଛାତ୍ରୀ କିଟ୍‍ରୁ ଶିକ୍ଷା ସମାପ୍ତ କରି ସାରିଛନ୍ତି। ଭୁବନେଶ୍ୱର ଟାୟାର୍‍-୨ ସହର ହୋଇଥିବା ସତ୍ତ୍ୱେ ଏଠାରେ ଆନ୍ତର୍ଜାତୀୟ ବିମାନ ସଂଯୋଗ ସୀମିତ ଥିଲେ ମଧ୍ୟ, କିଟ୍‍ର ଶିକ୍ଷା ମାନ, ଶିକ୍ଷା ପରିବେଶ, ଆଧୁନିକ ଭିତ୍ତିଭୂମି, ସୌନ୍ଦର୍ଯ୍ୟକରଣ, ସବୁଜ ପରିବେଶ ଓ ବିଶେଷକରି କ୍ରୀଡ଼ା ଭିତ୍ତିଭୂମି ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।ନିତି ଆୟୋଗ ରିପୋର୍ଟ ଅନୁସାରେ ଭାରତ ସରକାରଙ୍କ ନୂଆ ଶିକ୍ଷାନୀତି (ଏନ୍‌ଇପି–୨୦୨୦) ଅନୁଯାୟୀ, ଯେଉଁ ଶିକ୍ଷାନୁଷ୍ଠାନ ବା ରାଜ୍ୟରେ ଅଧିକ ବିଦେଶୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି, ସେଠାକୁ ସରକାରୀ ସ୍ତରରେ ଅଧିକ ଗୁରୁତ୍ୱ ଦିଆଯାଉଛି।

୨୦୧୨ ମସିହାରେ ଓଡ଼ିଶାରେ କେବଳ ୧୨ ଜଣ ବିଦେଶୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ, ଏବେ କେବଳ କିଟ୍‍ରେ ୨ହଜାରରୁ ଅଧିକ ବିଦେଶୀ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏହି ସଫଳତା ପଛରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡା. ଅଚ୍ୟୁତ ସାମନ୍ତଙ୍କ ଦୂରଦୃଷ୍ଟିକୁ ବୁଦ୍ଧିଜୀବୀମାନେ ସାଧୁବାଦ ଜଣାଇଛନ୍ତି। ଆଗାମୀ ଶିକ୍ଷାବର୍ଷରେ କିଟ୍‍ରେ ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଡା. ସାମନ୍ତ ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *