ନ୍ୟୁଜ ଡେକ୍ସ : ମୁଖ୍ୟମନ୍ତ୍ରୀ Mohan Charan Majhi ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଗତବର୍ଷ ତୁଳନାରେ ବଜେଟ୍ ଆକାରରେ ୬.୯ ପ୍ରତିଶତ ବୃଦ୍ଧି ହୋଇଛି।ବଜେଟ୍ ଉପସ୍ଥାପନ ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ଉଚ୍ଚ ଶିକ୍ଷାର ଭିତ୍ତିଭୂମି ଓ ଗୁଣବତ୍ତା ସୁଦୃଢ କରିବାକୁ ଧ୍ୟାନ କେନ୍ଦ୍ରିତ ନିବେଶ କରୁଛନ୍ତି।
ରାଜ୍ୟ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ ଓ ବେସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡିକର ଭିତ୍ତିଭୂମି ବିକାଶ ପାଇଁ ୪୭୦ କୋଟି ଟଙ୍କା ପ୍ରସ୍ତାବ ରହିଛି। ଗୁଣାତ୍ମକ ଶିକ୍ଷାର ଆଧୁନିକୀକରଣ ପାଇଁ ୫୦ କୋଟି ଏବଂ ଅନୁଦାନପ୍ରାପ୍ତ କଲେଜଗୁଡିକରେ ପରୀକ୍ଷାଗାର ସୁବିଧା ବୃଦ୍ଧି ପାଇଁ ୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।ଏହା ସହ ଏକ ବଡ଼ ଘୋଷଣା କରି ସେ କହିଛନ୍ତି ଯେ କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡା ଜିଲ୍ଲା ମୁଖ୍ୟାଳୟରେ ୪ଟି ନୂତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ।
ଏହି ଅନୁଷ୍ଠାନଗୁଡିକ ଏନଇପି-୨୦୨୦ ଅନୁଯାୟୀ ପ୍ରଥମ ଦିନରୁ ସ୍ନାତକୋତ୍ତର ପାଠ୍ୟକ୍ରମରେ ଅଭିନବ ଶିକ୍ଷାଦାନ ପ୍ରଣାଳୀ ଆରମ୍ଭ କରିବାର ସୁବିଧା ପାଇବେ। ବର୍ତ୍ତମାନ ରାଜ୍ୟରେ ୪୪ଟି ସରକାରୀ ବିଶ୍ୱବିଦ୍ୟାଳୟ ରହିଛି। ନୂତନ ୪ଟି ବିଶ୍ୱବିଦ୍ୟାଳୟ ଯୋଗ ହେଲେ ଏହି ସଂଖ୍ୟା ୪୮କୁ ପହଞ୍ଚିବ। ଉଚ୍ଚ ଶିକ୍ଷାକୁ ସୁଦୃଢ କରିବାରେ ଏହା ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନ୍ତବ୍ୟ ହେଉଛି।

