Sat. Feb 21st, 2026

ନ୍ୟୁଜ ଡେକ୍ସ : ରାଜଧାନୀର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ବୈଧ ପରିଚୟପତ୍ର ବହନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ବିଶ୍ବବିଦ୍ୟାଳୟ କୁଳସଚିବଙ୍କ ଦ୍ୱାରା ଜାରି ହୋଇଥିବା ନୋଟିସ୍ ଅନୁଯାୟୀ, ସମସ୍ତ ଛାତ୍ରଛାତ୍ରୀ ଓ କ୍ୟାମ୍ପସକୁ ପ୍ରବେଶ କରୁଥିବା ବ୍ୟକ୍ତିମାନେ ନିଜ ସହିତ ବୈଧ ପରିଚୟପତ୍ର ରଖିବା ଆବଶ୍ୟକ।

ନୋଟିସ୍‌ରେ ଉଲ୍ଲେଖ ଅନୁସାରେ, କୌଣସି ବ୍ୟକ୍ତି ବିନା ପରିଚୟପତ୍ରରେ କ୍ୟାମ୍ପସ ମଧ୍ୟରେ ଥିବାବେଳେ ଧରାପଡ଼ିଲେ କିମ୍ବା ନିଜ ଉପସ୍ଥିତି ସମ୍ବନ୍ଧରେ ସଠିକ୍ ସପ୍ଷ୍ଟୀକରଣ ଦେଇପାରିବେନି, ତାଙ୍କୁ ଅନଧିକୃତ ବ୍ୟକ୍ତି ଭାବେ ଗଣ୍ୟ କରାଯିବ। ଏପରି ସ୍ଥିତିରେ ସେମାନଙ୍କୁ ସ୍ଥାନୀୟ ଥାନା ପୁଲିସ୍‌ଙ୍କୁ ମଧ୍ୟ ହସ୍ତାନ୍ତର କରାଯିବ ବୋଲି ସଚେତନ କରାଯାଇଛି।ଏହା ସହିତ କ୍ୟାମ୍ପସକୁ ଏକ ସମ୍ପୂର୍ଣ୍ଣ ଶୂନ୍ୟ ସହନଶୀଳ ଜୋନ୍‌ ଭାବେ ଘୋଷଣା କରାଯାଇଛି। ମଦ୍ୟପାନ, ତମାଖୁ ଜାତୀୟ ଉତ୍ପାଦ ଓ ନାର୍କୋଟିକ୍ ଡ୍ରଗ୍ସ ବ୍ୟବହାର କିମ୍ବା ସଂରକ୍ଷଣ ଉପରେ କଡ଼ା ପ୍ରତିବନ୍ଧ ଲାଗୁ ହୋଇଛି।

ଶୈକ୍ଷିକ ପରିବେଶର ପବିତ୍ରତା ଓ ସୌନ୍ଦର୍ଯ୍ୟ ରକ୍ଷା ପାଇଁ ଅନଧିକୃତ ଭାବେ ଘୁରିବା, ଉପଦ୍ରବ ସୃଷ୍ଟି କରିବା କିମ୍ବା ବିଶୃଙ୍ଖଳିତ ବ୍ୟବହାର କରିବାକୁ ମଧ୍ୟ ସଂପୂର୍ଣ୍ଣ ଭାବେ ନିଷେଧ କରାଯାଇଛି।ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଉକ୍ତ ନିୟମ ଭଙ୍ଗ କରାଯାଇଥିଲେ ତୁରନ୍ତ ଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ଦୋଷୀଙ୍କୁ ପୋଲିସ୍‌ ହସ୍ତାନ୍ତର କରାଯିବ। ଶିକ୍ଷାନୁଷ୍ଠାନରେ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା କଡ଼ା କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *