ନ୍ୟୁଜ ଡେସ୍କ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଛେଚୁଛି। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଛି। ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ। ଦ୍ୱେତ ନଗରୀ କଟକ ଏବଂ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଲଘୁଚାପର ପ୍ରଭାବ ଦେଖିବାକୁ ମିଳିଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି କଟକ ଓ ଭୁବନେଶ୍ୱର ସମେତ କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି। ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ୭ ପ୍ରତିଶତ ନିଅଁଣ୍ଟିଆ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।
୨୧ଟିଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ କେବଳ ମାଲକାନଗିରି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ୮ଟି ଜିଲ୍ଲାରେ ଏବେ ବି ୧୯ ରୁ ୫୯ ପ୍ରତିଶତ ପର୍ଯ୍ୟନ୍ତ ନିଅଁଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।
