ନ୍ୟୁଜ ଡେକ୍ସ : ଉତ୍ତର ନାଇଜେରିଆର କାନୋ ରାଜ୍ୟରେ ଏକ ଭୟାବହ ସଡକ ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। କାନୋ ରାଜ୍ୟର ଗେଜାୱା ସ୍ଥାନୀୟ ସରକାରୀ କ୍ଷେତ୍ର ଅନ୍ତର୍ଗତ କ୍ୱାନାର ବାର୍ଡେ ସହର ନିକଟରେ ଯାତ୍ରୀ ଓ ସାମଗ୍ରୀ ବୋଝାଇ ଯାଉଥିବା ଏକ ଟ୍ରକ ଦ୍ରୁତ ଗତିରେ ଚଳାଚଳ କରୁଥିବା ବେଳେ ହଠାତ୍ ନିୟନ୍ତ୍ରଣ ହରାଇ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ସ୍ଥାନୀୟ ପ୍ରଶାସନ ଏବଂ ଗଣମାଧ୍ୟମର ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଟ୍ରକଟି କାନୋର ଗୁଜୁଙ୍ଗୁ ସହର ଅଭିମୁଖେ ଯାଉଥିବା ବେଳେ ବେପରୁଆ ଗତି ଓ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଏହି ମରଣାନ୍ତକ ଦୁର୍ଘଟଣା ଘଟିଥିବା କୁହାଯାଉଛି।କାନୋ ରାଜ୍ୟପାଳ ଅବା କବିର ୟୁସୁଫଙ୍କ ମୁଖପାତ୍ର ସୁନୁସି ବତୁରେ ଦାୱାକିନ ତୋଫା ଘଟଣାକୁ ନିଶ୍ଚିତ କରି କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା ୩୦ରୁ ଅଧିକ ହୋଇପାରେ ଏବଂ ଅନେକ ଆହତଙ୍କ ଅବସ୍ଥା ଗୁରୁତର ରହିଛି।
ସେମାନଙ୍କୁ କାନୋ ସହରର ବିଭିନ୍ନ ହସ୍ପିଟାଲରେ ତୁରନ୍ତ ଭର୍ତ୍ତି କରାଯାଇଛି। ରାଜ୍ୟପାଳ ଆହତମାନଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସୁବିଧା ଦେବାକୁ ହସ୍ପିଟାଲ ଓ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜୋରଦାର କରିଥିଲା ଓ ଆହତମାନଙ୍କୁ ଶୀଘ୍ର ହସ୍ପିଟାଲକୁ ପଠାଯାଇଥିଲା। ଦୁର୍ଘଟଣାର ସଠିକ୍ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି।

