ନ୍ୟୁଜ ଡେକ୍ସ : ଉତ୍ତର ପ୍ରଦେଶ ଦିବସ ଅବସରରେ ରାଜ୍ୟର ପାଞ୍ଚ ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ‘ଉତ୍ତରପ୍ରଦେଶ ଗୌରବ ସମ୍ମାନ’ରେ ସମ୍ମାନିତ କରାଯିବ। ଏହି ସମ୍ମାନ ପାଇବାକୁ ଚୟନିତ ବ୍ୟକ୍ତିମାନେ ହେଲେ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା, ଶିକ୍ଷା ଉଦ୍ୟୋଗୀ ଅଲାଖ ପାଣ୍ଡେ, ସାହିତ୍ୟିକ ଡକ୍ଟର ହରିଓମ ପନୱାର, ସମାଜସେବି ରଶ୍ମି ଆର୍ଯ୍ୟ ଓ କୃଷି ବିଶେଷଜ୍ଞ ଡକ୍ଟର ସୁଧାଂଶୁ ସିଂହ।
ସମ୍ମାନସ୍ୱରୂପ ପ୍ରତ୍ୟେକଙ୍କୁ ୧୧ ଲକ୍ଷ ଟଙ୍କା ନଗଦ ପୁରସ୍କାର, ଏକ ପ୍ରଶସ୍ତପତ୍ର ଓ ଏକ ଶାଲ ପ୍ରଦାନ କରାଯିବ।ଲକ୍ଷ୍ନୌ ବାସିନ୍ଦା ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ନାସାର କେନେଡି ସ୍ପେସ୍ ସେଣ୍ଟରରୁ ସ୍ପେସ୍ଏକ୍ସ ଡ୍ରାଗନ୍ ମହାକାଶଯାନ ମାଧ୍ୟମରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚି ଇତିହାସ ରଚନା କରିଥିବାରୁ ଏହି ସମ୍ମାନ ପାଇବେ।ପ୍ରୟାଗରାଜର ବାସିନ୍ଦା ଅଲାଖ ପାଣ୍ଡେ ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିଥିବାରୁ ସମ୍ମାନିତ ହେବେ। ସେ ୨୦୧୬ରେ ‘ଫିଜିକ୍ସ ୱାଲା’ ନାମକ ଯୁଟ୍ୟୁବ୍ ଚ୍ୟାନେଲ ଆରମ୍ଭ କରି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ଛାତ୍ରଛାତ୍ରୀଙ୍କୁ ସହାୟତା କରିଛନ୍ତି।
ବୁଲନ୍ଦସହର ଜିଲ୍ଲାର ଡକ୍ଟର ହରିଓମ ପନୱାର ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ଏହି ସମ୍ମାନ ପାଇବେ। ମେରଠର ରଶ୍ମି ଆର୍ଯ୍ୟ ଶ୍ରୀମଦ୍ ଦୟାନନ୍ଦ ଆର୍ଯ୍ୟ କନ୍ୟା ଗୁରୁକୂଳ ପ୍ରତିଷ୍ଠା କରି ସମାଜସେବା କ୍ଷେତ୍ରରେ ନୂତନ ଦିଗ ଦେଇଥିବାରୁ ସମ୍ମାନିତ ହେବେ। କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଡକ୍ଟର ସୁଧାଂଶୁ ସିଂହଙ୍କୁ ମଧ୍ୟ ଏହି ପୁରସ୍କାର ଦିଆଯିବ।ଏହି ସମ୍ମାନ ସମାରୋହ ଉତ୍ତର ପ୍ରଦେଶର ଗର୍ବକୁ ଆହୁରି ବଢ଼ାଇବ ବୋଲି ରାଜ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

