Fri. Feb 27th, 2026

ନ୍ୟୁଜ ଡେକ୍ସ : ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ ଯୋଡ଼ି ରଶ୍ମିକା ମନ୍ଧାନା ଏବଂ ବିଜୟ ଦେବରକୋଣ୍ଡା ଗୁରୁବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଦୟପୁରରେ ଆୟୋଜିତ ଏହି ରୂଚିଶୀଳ ବିବାହ ଉତ୍ସବକୁ ନେଇ ଫ୍ୟାନ୍ସମାନେ ଦୀର୍ଘଦିନ ଧରି ଅପେକ୍ଷାରେ ଥିଲେ। ଏବେ ସେମାନଙ୍କର ଅପେକ୍ଷାର ଶେଷ ହୋଇଛି ଏବଂ ବିବାହର ଫଟୋ ସୋସିଆଲ ମିଡିଆରେ ରିଭିଲ ହୋଇଛି।ଗତ ଦୁଇ ଦିନ ଧରି ଉଦୟପୁରର ପ୍ରସିଦ୍ଧ ITC Mementos Udaipur ହୋଟେଲରେ ବିବାହ ଉତ୍ସବ ଚାଲିଥିଲା।

ଗତକାଲି ମୁଖ୍ୟ ବିବାହ ସମାରୋହ ମହା ଆଡମ୍ବରରେ ପାଳିତ ହୋଇଥିଲା। ବିବାହର ରୂଚିଶୀଳ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।ବିବାହ ପରେ ରଶ୍ମିକା ଓ ବିଜୟ ସେମାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭାବପ୍ରବଣ ନୋଟ୍ ସେୟାର କରିଛନ୍ତି। ରଶ୍ମିକା ତାଙ୍କ କ୍ୟାପସନରେ ସ୍ୱାମୀ ବିଜୟଙ୍କୁ ପରିଚୟ କରାଇ କହିଛନ୍ତି ଯେ ସେ ତାଙ୍କୁ ପ୍ରକୃତ ପ୍ରେମ, ଶାନ୍ତି ଓ ବଡ଼ ସ୍ୱପ୍ନ ଦେଖିବାର ସାହସ ଶିଖାଇଛନ୍ତି। ସେ ଲେଖିଛନ୍ତି ଯେ ବିଜୟଙ୍କ ସହିତ ଥିବାରୁ ତାଙ୍କ ସମସ୍ତ ସଫଳତା, ସଂଘର୍ଷ ଓ ଜୀବନର ପ୍ରତ୍ୟେକ ମୁହୂର୍ତ୍ତର ଅର୍ଥ ଆଉ ଅଧିକ ଗଭୀର ହୋଇଯାଇଛି। ସେ ନିଜକୁ ଧନ୍ୟ ମନେ କରି ଲେଖିଛନ୍ତି ଯେ ସ୍ତ୍ରୀ ଭାବେ ନୂତନ ଜୀବନ ଆରମ୍ଭ କରିବାକୁ ସେ ବହୁତ ଉତ୍ସାହିତ। ରଶ୍ମିକା ଓ ବିଜୟ ଛଅ ବର୍ଷରୁ ଅଧିକ ସମୟ ଧରି ଘନିଷ୍ଠ ବନ୍ଧୁ ଥିଲେ।

ସେମାନେ ଏକାଠି ଅଭିନୟ କରିଥିବା ଫିଲ୍ମ ବଡ଼ ସଫଳତା ଲାଭ କରିଥିଲା ଏବଂ ସେମାନଙ୍କର କେମିଷ୍ଟ୍ରି ଦର୍ଶକମାନଙ୍କ ମନ ଜିତିଥିଲା। ପରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ବିବାହ ପୂର୍ବରୁ ଦୁହେଁ କିଛି ସମୟ ଧରି ସମ୍ପର୍କରେ ଥିବା ସହିତ ଅନେକଥର ଏକାଠି ଛୁଟି ବିତାଉଥିବାର ଦେଖାଯାଇଥିଲେ।ଏବେ ଚଳଚ୍ଚିତ୍ର ଜଗତର ଏହି ଚର୍ଚ୍ଚିତ ଯୋଡ଼ି ଆନୁଷ୍ଠାନିକ ଭାବେ ସ୍ୱାମୀ-ସ୍ତ୍ରୀ ହୋଇଛନ୍ତି। ସୋସିଆଲ ମିଡିଆରେ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛନ୍ତି।

Leave a Reply

Your email address will not be published. Required fields are marked *