ନ୍ୟୁଜ ଡେକ୍ସ :ପାଟଣାଗଡ଼ ଓ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନୀ ଅନିୟମିତତା ମାମଲା ଏବେ ନ୍ୟାୟାଳୟରେ ଚାଲିବ। ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ନାଁରେ ଦାୟର ହୋଇଥିବା ନିର୍ବାଚନୀ ମାମଲା ରଦ୍ଦ ପାଇଁ ଦାଖଲ ହୋଇଥିବା ଅନ୍ତରୀଣ ପିଟିସନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।ହାଇକୋର୍ଟ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ପକ୍ଷରୁ ଦାଖଲ ହୋଇଥିବା ପିଟିସନ ସହିତ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ପିଟିସନକୁ ମଧ୍ୟ ଏକାସାଙ୍ଗରେ ଖାରଜ କରିଛନ୍ତି।
ଏହା ସହ ଉଭୟ ନିର୍ବାଚନୀ ମାମଲାର ଶୁଣାଣି ଜାରି ରହିବା ନେଇ ସ୍ପଷ୍ଟତା ଆସିଛି।ସୂଚନା ଅନୁଯାୟୀ, ୨୦୨୪ ବିଧାନସଭା ନିର୍ବାଚନରେ କଣ୍ଟାବାଞ୍ଜି ଆସନରୁ ଲକ୍ଷ୍ମଣ ବାଗ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରି ବିଜୟ ହାସଲ କରିଥିଲେ। ଏହି ନିର୍ବାଚନକୁ ନେଇ ଅନିୟମିତତାର ଅଭିଯୋଗ ଆସି ନିର୍ବାଚନୀ ମାମଲା ଦାୟର ହୋଇଥିଲା।
ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ବିରୋଧରେ ପାଟଣାଗଡ଼ ବିଧାନସଭା ଆସନର ପରାଜିତ ପ୍ରାର୍ଥୀ ସରୋଜ ମେହେର ନିର୍ବାଚନୀ ମାମଲା ଦାୟର କରିଥିବା ବେଳେ, କଣ୍ଟାବାଞ୍ଜିର ଜଣେ ଭୋଟର ଲକ୍ଷ୍ମଣ ବାଗଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। ବିନା ଶୁଣାଣିରେ ଏହି ମାମଲାଗୁଡ଼ିକୁ ଖାରଜ କରାଯିବା ପାଇଁ କେଭି ସିଂଦେଓ ଓ ଲକ୍ଷ୍ମଣ ବାଗ୍ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ହାଇକୋର୍ଟ ଦୁହେଁଙ୍କ ଆବେଦନକୁ ଖାରଜ କରିଦେଇଥିବାରୁ ଏବେ ଉଭୟ ମାମଲାର ମୂଳ ଶୁଣାଣି ଆରମ୍ଭ ହେବ।

