ନ୍ୟୁଜ ଡେକ୍ସ : ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି ଓଡ଼ିଶା ସରକାର। ଏବେ ଏକାଦଶ ଶ୍ରେଣୀର ବିଜ୍ଞାନ ପଢୁଥିବା ଛାତ୍ରଛାତ୍ରୀମାନେ ଇଂରାଜୀ ନୁହେଁ, ଓଡ଼ିଆ ଭାଷାରେ ପଢିପାରିବେ। ଏହି ଉଦ୍ଦେଶ୍ୟରେ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ଭାଷାରେ ପ୍ରସ୍ତୁତ ଏକାଦଶ ଶ୍ରେଣୀ ବିଜ୍ଞାନ ସନ୍ଦର୍ଭ ପୁସ୍ତକଗୁଡ଼ିକୁ ଉନ୍ମୋଚନ କରିଛନ୍ତି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ଏହି ପୁସ୍ତକଗୁଡ଼ିକରେ ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଜୀବ ବିଜ୍ଞାନ ଅନ୍ତର୍ଭୁକ୍ତ ରହିଛି। ଓଡ଼ିଆ ଭାଷାରେ ଏପର୍ଯ୍ୟନ୍ତ ଏପରି ବିଜ୍ଞାନ ପୁସ୍ତକ ନଥିବାରୁ, ରାଜ୍ୟ ସରକାର ପ୍ରତ୍ୟେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ୧୦ ରୁ ୨୦ଟି ପୁସ୍ତକ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପୁସ୍ତକଗୁଡ଼ିକ ବିଦ୍ୟାଳୟ ଗ୍ରନ୍ଥାଳୟରେ ଉପଲବ୍ଧ ରହିବ, ଯାହାକୁ ଛାତ୍ରଛାତ୍ରୀମାନେ ପଢିପାରିବେ।ସେହିପରି ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରେ ବିଭିନ୍ନ ଦୋକାନରେ ଏହି ବହିଗୁଡ଼ିକ ଉପଲବ୍ଧ କରାଯିବା ପାଇଁ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପ୍ରଚେଷ୍ଟା କରିବ। ମୋଟ ୭୦୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାୟ ୧ଲକ୍ଷ ୨୦ହଜାର ଛାତ୍ରଛାତ୍ରୀ ଏହାର ଲାଭ ନେବେ।
ପରବର୍ତ୍ତୀ ପର୍ଯ୍ୟାୟରେ ଦ୍ଵାଦଶ ଶ୍ରେଣୀ ପାଇଁ ମଧ୍ୟ ଓଡ଼ିଆ ଭାଷାରେ ବିଜ୍ଞାନ ପୁସ୍ତକ ପ୍ରସ୍ତୁତ କରିବାର ଯୋଜନା ରହିଛି। ଏହା ଫଳରେ ପ୍ରାଥମିକ ଶିକ୍ଷାରୁ ଉଚ୍ଚ ବୈଷୟିକ ଶିକ୍ଷା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ମାତୃଭାଷାରେ ଶିକ୍ଷା ଗ୍ରହଣ କରିପାରିବେ, ଯାହା ଶିକ୍ଷାର ଗୁଣାତ୍ମକ ଉନ୍ନତିକୁ ଆରୋହଣ କରିବ।ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସହ ରାଜ୍ୟର ବିଭିନ୍ନ ମନ୍ତ୍ରୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

