ନ୍ୟୁଜ ଡେକ୍ସ: ସୋସିଆଲ ମିଡିଆ ‘ଏକ୍ସ’ ଉପରେ ସାଇବର ଆଟାକ୍ । ଦିନକରେ ୩ ଥର ଅଚଳ ହୋଇଗଲା ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ । ପୂର୍ବରୁ ଟ୍ବିଟର ଭାବେ ପରିଚିତ ଥିବା ‘ଏକ୍ସ’ ସୋସିଆଲ ସାଇଟ୍ ସାରା ବିଶ୍ବରେ ଗୋଟିଏ ଦିନରେ ୩ ଥର କାମ କରିନବା ସୂଚନା ମିଳିଛି । ଫଳରେ ୟୁଜର୍ସ ସମସ୍ୟା ଭୋଗିଥିଲେ । ଏଲନ୍ ମସ୍କଙ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ, ଏକ୍ସ ଗତକାଲି କିଛି ଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲା । ଫଳରେ ହଜାର ହଜାର ଉପଭୋକ୍ତା, ଏହାର ଆପ୍ କିମ୍ବା ୱେବସାଇଟ୍ କାର୍ଯ୍ୟକ୍ଷମତାକୁ ଆକ୍ସେସ୍ କରିପାରି ନଥିଲେ ।
ତେବେ ଏହି ଡାଉନ୍ଟାଇମ୍ କେବଳ ଥରେ ନୁହେଁ ବରଂ ଗୋଟିଏ ଦିନରେ ଦୁଇଥର ହୋଇଥିଲା । ଯାହାକୁ ନେଇ ନିଜ ଏକ୍ସରେ ୟୁକ୍ରେନକୁ ଦାୟୀ କରିଛନ୍ତି ମସ୍କ । ମସ୍କଙ୍କ ଅନୁଯାୟୀ, ଏକ୍ସ ଉପରେ ୟୁକ୍ରେନ୍ ସୈନ୍ୟଙ୍କ ଦ୍ୱାରା ବ୍ୟାପକ ସାଇବର ଆଟାକ୍ ହୋଇଛି । ଭାରତ, ଆମେରିକା, ୟୁକେ, ଅଷ୍ଟ୍ରେଲିଆ ଏବଂ ଅନ୍ୟାନ୍ୟ ଅଞ୍ଚଳ ସମେତ ଅନେକ ଅଞ୍ଚଳରେ ଏକ୍ସ ଡାଉନ୍ ହେବା ନେଇ ୪୦,୦୦୦ ରୁ ଅଧିକ ରିପୋର୍ଟ ରେକର୍ଡ ହୋଇଛି । ଯାହାର ଆଇପି ଆଡ୍ରେସ ୟୁକ୍ରେନର ବୋଲି ଦାବି କରିଛନ୍ତି ମସ୍କ ।କହି ରଖୁଛୁ କି, ଗତକାଲି (ସୋମବାର) ‘ଏକ୍ସ’ ର ଗ୍ଲୋବାଲ ଆଉଟେଜ୍ ହୋଇଥିଲା । ଦିନତମାମ ବାରମ୍ବାର ଡାଉନ ହୋଇଥିଲା । ସାମାଜିକ ଗଣମାଧ୍ୟମ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ‘ଏକ୍ସ’ କାମ ନ କରିବାରୁ ୟୁଜର୍ସ ସମସ୍ୟା ଭୋଗିଥିଲେ ।
ଖାଲି ଭାରତ ନୁହେଁ ସମଗ୍ର ବିଶ୍ବର ୟୁଜର୍ସ ହଇରାଣ ହୋଇଥିବା ଦେଖିବାକୁ ମିଳିଥିଲା । ୪ ଲକ୍ଷରୁ ଅଧିକ ୟୁଜର୍ସ ଏନେଇ ଅଭିଯୋଗ କରିଥିଲେ । ପ୍ରାୟ ୫୬ ପ୍ରତିଶତ ଲୋକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ବୋଲି ଡାଉନ ଡିଟେକ୍ଟରର ରିପୋର୍ଟରେ ପ୍ରକାଶ ପାଇଥିଲା । ପ୍ରଥମେ ଅପରାହ୍ନ ୩ଟା ୩୦ମିନିଟରେ ଅଚଳ ହୋଇଥିଲା ‘ଏକ୍ସ’ । ଏହାପରେ ରାତି ୯ଟା ଓ ପରେ ରାତି ୧୧ ଟାରେ ଲମ୍ବା ସମୟ ଯାଏ ବିଭ୍ରାଟ ଦେଖିବାକୁ ମିଳିଥିଲା ।
