ନ୍ୟୁଜ ଡେକ୍ସ : ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଇ-ଚାଲାଣ ପୈଠ ପ୍ରଣାଳୀକୁ ଅଧିକ ସହଜ କରାଯାଇଛି। ଏଣିକି ଅନଲାଇନ୍ ସହିତ ସହିତ ଅଫଲାଇନ୍ ମାଧ୍ୟମରେ ମଧ୍ୟ ଇ-ଚାଲାଣର ଜରିମାନା ପୈଠ କରିହେବ। ଏନେଇ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ଗୁଡ଼ିକୁ ନଗଦ ଅର୍ଥ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ପ୍ରତ୍ୟେକ RTO କାର୍ଯ୍ୟାଳୟରେ ଇ-ଚାଲାଣ ସମ୍ପର୍କିତ କାର୍ଯ୍ୟ ସୁଚାରୁ ଭାବେ କରିବା ପାଇଁ ସ୍ଵତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ।
ବହୁ ସମୟରେ ଗାଡ଼ି ମାଲିକଙ୍କ ମୋବାଇଲ ନମ୍ବର ଅପଡେଟ ନଥିବା କିମ୍ବା ଦୁର୍ବଳ ଇଣ୍ଟରନେଟ ସେବା ଯୋଗୁଁ OTP ଠିକ୍ଭାବେ ପହଞ୍ଚୁନଥାଏ। ଏହାର ଫଳରେ ଅନଲାଇନ୍ ପୈଠରେ ଅସୁବିଧା ସୃଷ୍ଟି ହୋଇଥାଏ।
ଦୁର୍ବଳ ଇଣ୍ଟରନେଟ ସଂଯୋଗ ଥିବା ଅଞ୍ଚଳର ଲୋକଙ୍କ ପାଇଁ ଅଫଲାଇନ୍ ପୈଠ ବ୍ୟବସ୍ଥା ବହୁତ ସହାୟକ ହେବ ବୋଲି କୁହାଯାଉଛି। ତେବେ, ଅନଲାଇନ୍ ମାଧ୍ୟମରେ ପୂର୍ବ ଭଳି https://echallan.parivahan.gov.in/ ୱେବସାଇଟ୍ ମାଧ୍ୟମରେ ମଧ୍ୟ ଇ-ଚାଲାଣ ପୈଠ କରିପାରିବେ ଗାଡ଼ି ମାଲିକ। ଏହି ନୂଆ ବ୍ୟବସ୍ଥା ଫଳରେ ଇ-ଚାଲାଣ ପୈଠ ପ୍ରକ୍ରିୟା ଅଧିକ ସରଳ ଓ ଜନମାନସ ପାଇଁ ସହଜ ହେବ ବୋଲି ପରିବହନ ବିଭାଗ ଆଶା ପ୍ରକାଶ କରିଛି।

