Sun. Feb 22nd, 2026

ନ୍ୟୁଜ ଡେକ୍ସ : ରାଜଧାନୀରେ ଅଳିଆ ସଫେଇ ବ୍ୟବସ୍ଥାକୁ ଆହୁରି ସୁସଂଗଠିତ କରିବା ଲକ୍ଷ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏଣିକି ଉପଭୋକ୍ତାମାନଙ୍କ ପାଖରୁ ସଫେଇ ଦେୟ ଆଦାୟ କରିବ। ଏନେଇ ବିଏମସି ପକ୍ଷରୁ ଏକ ନୂଆ ଦେୟ ତାଲିକା ଜାରି କରାଯାଇଛି।ବିଏମସି ଅଧୀନରେ ଥିବା ଆବାସିକ ଘର, ସପିଂ ମଲ, ହାଟ, ହୋଟେଲ, କ୍ୟାଫେ ଓ ଅନ୍ୟାନ୍ୟ ବ୍ୟବସାୟିକ ଏବଂ ସଂସ୍ଥାଗତ ପ୍ରତିଷ୍ଠାନରୁ ପ୍ରତି ମାସ ଅଳିଆ ସଫେଇ ବାବଦରେ ଏହି ଦେୟ ଆଦାୟ କରାଯିବ।

୨୦୧୮ର ବାଇ-ଲ’ ଅନୁସାରେ ଏହି ଦେୟ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉଛି।ବିଏମସି ପକ୍ଷରୁ ଜଣାପଡ଼ିଛି ଯେ, ସହରବାସୀ ଏହି ସଫେଇ ଦେୟ ସମ୍ପର୍କିତ ସମସ୍ତ ତଥ୍ୟ ‘ସଫା’ ଆପ୍ ହ୍ୱାଟ୍ସଆପ୍ ନମ୍ବର ୭୬୫୩୦୧୧୮୩୨ ମାଧ୍ୟମରେ ପାଇପାରିବେ।ଜାରି ହୋଇଥିବା ଦରତାଲିକା ଅନୁସାରେ ୮୦୦ ବର୍ଗଫୁଟରୁ କମ ଆକାରର ଆବାସିକ ଘର ପାଇଁ ମାସିକ ୫୦ ଟଙ୍କା ଦେୟ ଧାର୍ଯ୍ୟ କରାଯାଇଛି। ସେହିପରି ୮୦୦ରୁ ୧୨୦୦ ବର୍ଗଫୁଟ ମଧ୍ୟରେ ଥିବା ଘର ପାଇଁ ୭୫ ଟଙ୍କା ଓ ୧୨୦୦ ବର୍ଗଫୁଟରୁ ବଡ଼ ଘର ପାଇଁ ୧୨୫ ଟଙ୍କା ଦେୟ ନିର୍ଦ୍ଧାରଣ କରାଯାଇଛି।

ହୋଟେଲ ଓ ଗେଷ୍ଟହାଉସଗୁଡ଼ିକ ପାଇଁ ମଧ୍ୟ ସ୍ୱତନ୍ତ୍ର ଦର ଧାର୍ଯ୍ୟ ହୋଇଛି। ୧୦ରୁ କମ କୋଠରୀ ଥିବା ହୋଟେଲ ଓ ଗେଷ୍ଟହାଉସ ପାଇଁ ମାସିକ ୫୦୦ ଟଙ୍କା, ୧୧ରୁ ୨୦ଟି କୋଠରୀ ପାଇଁ ୭୫୦ ଟଙ୍କା ଓ ୨୧ରୁ ୩୦ଟି କୋଠରୀ ପାଇଁ ୧୦୦୦ ଟଙ୍କା ଦେୟ ଦେବାକୁ ପଡ଼ିବ। ୩୦ରୁ ଅଧିକ କୋଠରୀ ଥିବା ହୋଟେଲ ଓ ଗେଷ୍ଟହାଉସ ପାଇଁ ପ୍ରତି କୋଠରୀ ବାବଦକୁ ଅତିରିକ୍ତ ୫୦ ଟଙ୍କା ଦେୟ ଦେବାକୁ ପଡ଼ିବ।ବିଏମସିର ଏହି ନୂଆ ବ୍ୟବସ୍ଥା ଦ୍ୱାରା ସହରର ସଫେଇ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *