ନ୍ୟୁଜ ଡେକ୍ସ : ସଡ଼କ ଦୁର୍ଘଟଣା କିମ୍ବା ଅନ୍ୟ କୌଣସି କାରଣରୁ ମୃତ୍ୟୁ ପରେ ମୃତଦେହ ରଖି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବା ଏବେ ରାଜସ୍ଥାନରେ ଅପରାଧ ଭାବେ ବିବେଚିତ ହେବ। ଏହି ପ୍ରକାର ଘଟଣାକୁ ରୋକିବା ପାଇଁ ରାଜସ୍ଥାନ ସରକାର ଏକ କଠୋର ପଦକ୍ଷେପ ଗ୍ରହଣ କରି ‘ମୃତ ଶରୀର ସମ୍ମାନ ଆଇନ’ ଲାଗୁ କରିଛନ୍ତି।
ନୂଆ ଆଇନ ଅନୁସାରେ, ମୃତଦେହ ରଖି ସଡ଼କ ଜାମ, ସାର୍ବଜନୀନ ସ୍ଥାନରେ ବିକ୍ଷୋଭ, ପ୍ରତିବାଦ କିମ୍ବା ଚାପ ସୃଷ୍ଟି କରାଗଲେ ଏହାକୁ ଏକ ଫୌଜଦାରୀ ଅପରାଧ ଭାବରେ ଗ୍ରହଣ କରାଯିବ। ଏପରି କ୍ଷେତ୍ରରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ୬ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ। ଏଥିସହ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ସର୍ବାଧିକ ୨ ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶର ବ୍ୟବସ୍ଥା ମଧ୍ୟ ରହିଛି।ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, ରାସ୍ତା ଅବରୋଧ ଯୋଗୁଁ ସାଧାରଣ ଜନଜୀବନ ଓ ଆପତ୍କାଳୀନ ସେବା ପ୍ରଭାବିତ ହେଉଥିବାରୁ ଏହି କଠୋର ଆଇନ ଲାଗୁ କରାଯାଇଛି।
ଏହା ଦ୍ୱାରା ମୃତକଙ୍କ ସମ୍ମାନ ସୁରକ୍ଷିତ ରହିବା ସହ ସାଧାରଣ ଯାତାୟାତ ବ୍ୟବସ୍ଥା ମଧ୍ୟ ସୁଚାଳୁ ରହିପାରିବ। ନୂଆ ନିୟମ ଅନୁସାରେ, କୌଣସି ବକେୟା ବିଲ୍ ଦେଖାଇ ହସ୍ପିଟାଲଗୁଡ଼ିକ ମୃତଦେହକୁ ଅଟକାଇ ପାରିବେ ନାହିଁ। ତେଣୁ ମୃତକଙ୍କ ପରିବାରକୁ ଅନାବଶ୍ୟକ ହେରାଣ ହେବାରୁ ମୁକ୍ତି ମିଳିବ। ଏହା ସହ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ପରେ ୨୪ ଘଣ୍ଟା ମଧ୍ୟରେ ଅନ୍ତିମ ସଂସ୍କାର ବାଧ୍ୟତାମୂଳକ କରାଯାଇଛି।ରାଜସ୍ଥାନ ସରକାରଙ୍କ ଏହି ନୂଆ ଆଇନକୁ ସାଧାରଣ ଲୋକଙ୍କ ସୁବିଧା ଓ ଶୃଙ୍ଖଳା ରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।

