ନ୍ୟୁଜ ଡେକ୍ସ: ଏଣିକି ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରିପାରିବେ ବିଧାୟକ, ସାଂସଦ । କେବଳ ନିଜ ନିର୍ବାଚନମଣ୍ଡଳୀର ସର୍ବାଧିକ ୧୫ ଜଣଙ୍କ ପାଇଁ ବଦଳି ସୁପାରିସ କରିପାରିବେ । ଅନ୍ତଃଜିଲ୍ଲା ବଦଳି ହୋଇପାରିବ । କିନ୍ତୁ ଗ୍ରାମାଞ୍ଚଳରୁ କୌଣସି ଶିକ୍ଷକଙ୍କୁ ସହରକୁ ବଦଳି କରାଯାଇ ପାରିବ ନାହିଁ ।
ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି କରାଯାଇଛି । ସାଂସଦ ଓ ବିଧାୟକ ସୁପାରିସ କରିଥିବା ଶିକ୍ଷକଙ୍କ ବଦଳି ମେ’ ୧୫ରୁ ଜୁନ ମଧ୍ୟରେ କାର୍ଯ୍ୟକାରୀ କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଏହାସହ ସାଂସଦ ଓ ବିଧାୟକଙ୍କ ସୁପାରିସ ସେହି ବର୍ଷର ଶିକ୍ଷା ବର୍ଷ ପାଇଁ ଉଦ୍ଦିଷ୍ଟ ରହିବ ।
ଏନେଇ ଗଣଶିକ୍ଷା ବିଭାଗ ସର୍ତ୍ତ ରଖିଛି । ସରକାରଙ୍କ ଶିକ୍ଷକଙ୍କ ବଦଳି ନୀତି ଉଲ୍ଲଂଘନ ହେଉ ନଥିବ । ଜରୁରୀ ଆବଶ୍ୟକତା ଅନୁସାରେ ବଦଳିକୁ ଦିଆଯିବ ପ୍ରାଥମିକତା । କୌଣସି ସ୍ଥିତିରେ ଗ୍ରାମାଞ୍ଚଳ ଶିକ୍ଷକ ସହରାଞ୍ଚଳକୁ ବଦଳି ହୋଇପାରିବେ ନାହିଁ । ଏହି ବଦଳି କେବଳ ଜିଲ୍ଲା ଭିତରେ ସୀମିତ ରହିବ । ଚଳିତ ଶିକ୍ଷା ବର୍ଷ ପାଇଁ ଏହା ଲାଗୁ କରାଯିବ ବୋଲି କୁହାଯାଇଛି ।
