ନ୍ୟୁଜ ଡେକ୍ସ:ଏଣିକି ହ୍ୱାଟ୍ସଆପ୍ରେ ମିଳିପାରିବ ସମସ୍ତ ନାଗରିକ ସେବା । ଗୋଟିଏ ହ୍ୱାଟ୍ସଆପ୍ ନମ୍ୱର ଜରିଆରେ ଜନ୍ମ ଓ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଓ ସାର ଲାଇସେନ୍ସ ଏବଂ ଜାତୀୟ ପରିବାର ମଙ୍ଗଳ ଯୋଜନା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ ସେବା ପାଇପାରିବେ ନାଗରିକ । ଓଡ଼ିଶା ସରକାର ଓ ମେଟା ଇଣ୍ଡିଆ ମିଳିତ ଭାବେ ଆଜି ଏକ ୟୁନିଫାଏଡ୍ ହ୍ୱାଟ୍ସଆପ୍ ଚାଟବଟ୍ର ଶୁଭାରମ୍ଭ କରିଛନ୍ତି ।
ଯାହା ରାଜ୍ୟର ସାଢ଼େ ୪କୋଟିରୁ ଅଧିକ ଲୋକଙ୍କୁ ଆଗାମୀ ଦିନରେ ୪୨୯ଟି ସରକାରୀ ସେବା ପ୍ରଦାନ କରିବ । ଏହି ଚାଟ୍ବଟ୍ ଜରିଆରେ ନାଗରିକମାନେ ଗୋଟିଏ ହ୍ୱାଟ୍ସଆପ୍ ନମ୍ବର ଜରିଆରେ ଜନ୍ମ ଓ ଆୟ ପ୍ରମାଣପତ୍ର ପାଇବା, ଡ୍ରାଇଭିଂ ଓ ସାର ଲାଇସେନ୍ସ ପାଇଁ ଆବେଦନ କରିବା ଏବଂ ଜାତୀୟ ପରିବାର ମଙ୍ଗଳ ଯୋଜନା ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସରକାରୀ ସେବା ପାଇପାରିବେ। ପ୍ରଶାସନିକ ବ୍ୟବସ୍ଥାରେ ହ୍ବାଟ୍ସଆପ୍ ବ୍ୟବହାରରେ ଓଡ଼ିଶା ଦେଶରେ ତୃତୀୟ ରାଜ୍ୟ ହୋଇଛି।ଲୋକସେବା ଭବନରେ ଅନୁଷ୍ଠିତ ଏହି ବୁଝାମଣାପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ମନୋଜ ଆହୁଜା ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ବିଭିନ୍ନ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା।
ଓଡ଼ିଶା ସରକାରଙ୍କ ତରଫରୁ ସେଣ୍ଟର ଫର ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ୍ (ସିଏମ୍ଜିଆଇ) ମେଟା ଇଣ୍ଡିଆ ସହ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି।ୟୁନିଫାଏଡ୍ ହ୍ବାଟ୍ସଆପ୍ ଚାଟବଟ୍ ୪୨୯ଟି ସରକାରୀ ସେବାକୁ ଗୋଟିଏ ହ୍ୱାଟ୍ସଆପ୍ ନମ୍ବରରେ ସମନ୍ୱିତ କରିବ। ଯଦ୍ୱାରା ନାଗରିକମାନେ ଜନ୍ମ, ମୃତ୍ୟୁ, ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ ଏବଂ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ସାର ଲାଇସେନ୍ସ ଇତ୍ୟାଦି ଏବଂ ପ୍ରୋତ୍ସାହନ ଯୋଜନା ଭଳି ଗୁରୁତ୍ବପୂର୍ଣ୍ଣ ସେବା ସହ ଆନ୍ତଃଜାତି ବିବାହ ସୁବିଧା, ଜାତୀୟ ପରିବାର ମଙ୍ଗଳ ଯୋଜନା ଏବଂ ଆହୁରି ଅନେକ ସୁବିଧା ପାଇପାରିବେ।
