ନ୍ୟୁଜ ଡେକ୍ସ : ଓଡ଼ିଶାରେ ଚଳିତ ବର୍ଷରୁ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏନେଇ ଜନଗଣନା କାର୍ଯ୍ୟ ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି ଯେ, ରାଜ୍ୟରେ ଜନଗଣନା କାର୍ଯ୍ୟ ଦୁଇଟି ପର୍ଯ୍ୟାୟରେ ସମ୍ପାଦିତ ହେବ। ପ୍ରଥମ ପର୍ଯ୍ୟାୟ ଆସନ୍ତା ଏପ୍ରିଲ ମାସରୁ ଆରମ୍ଭ ହେବାକୁ ଥିବା ବେଳେ, ଦ୍ୱିତୀୟ ପର୍ଯ୍ୟାୟ ଫେବୃଆରୀ ୨୦୨୭ ମାସରୁ ଆରମ୍ଭ ହେବାର ଯୋଜନା ରହିଛି।
ଜନଗଣନା କାର୍ଯ୍ୟ ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ସହର ଓ ଗ୍ରାମାଞ୍ଚଳରେ ଘର ଗଣନା କାର୍ଯ୍ୟ କରାଯିବ। ଏହି ପର୍ଯ୍ୟାୟରେ ପ୍ରତ୍ୟେକ ଘରକୁ ଚିହ୍ନଟ କରାଯିବା ସହ ଘରର ପ୍ରକାର, ବସୋବାସ ସ୍ଥିତି ଓ ପରିବାରର ମୌଳିକ ସମ୍ପତ୍ତି ସମ୍ପର୍କିତ ବିବରଣୀ ସଂଗ୍ରହ କରାଯିବ। ଏହା ମାଧ୍ୟମରେ ରାଜ୍ୟର ଘରବାସ ଓ ଆବାସିକ ସ୍ଥିତି ସମ୍ପର୍କରେ ସଠିକ୍ ତଥ୍ୟ ମିଳିପାରିବ ବୋଲି କୁହାଯାଇଛି। ଏହି ପ୍ରଥମ ପର୍ଯ୍ୟାୟରେ ନିଯୁକ୍ତ ହେବାକୁ ଥିବା ଜନଗଣନା କର୍ମଚାରୀମାନେ ଘର ଘର ଯାଇ ଘର ସଂଖ୍ୟା, ପରିବାରର ସଦସ୍ୟ ସଂଖ୍ୟା, ପାନୀୟ ଜଳ, ବିଦ୍ୟୁତ, ଶୌଚାଳୟ, ରନ୍ଧନ ଇନ୍ଧନ ଭଳି ମୌଳିକ ସୁବିଧା ସମ୍ପର୍କରେ ସୂଚନା ସଂଗ୍ରହ କରିବେ।
ସଂଗ୍ରହିତ ତଥ୍ୟ ଆଧାରରେ ରାଜ୍ୟର ଢଞ୍ଚାଗତ ବିକାଶ ଓ ଭବିଷ୍ୟତ ଯୋଜନା ପ୍ରସ୍ତୁତ କରାଯିବ ବୋଲି କୁହାଯାଉଛି।ସେହିପରି, ଦ୍ୱିତୀୟ ପର୍ଯ୍ୟାୟରେ ଫେବୃଆରୀ ୨୦୨୭ରୁ ବ୍ୟକ୍ତିଗତ ଜନସଂଖ୍ୟା ଗଣନା କାର୍ଯ୍ୟ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ଜନଗଣନା କର୍ମଚାରୀମାନେ ପୁନଃ ଘର ଘର ବୁଲି ପ୍ରତ୍ୟେକ ବ୍ୟକ୍ତିର ବୟସ, ଲିଙ୍ଗ, ଶିକ୍ଷାଗତ ସ୍ଥିତି, ବୃତ୍ତି, ଭାଷା, ସାମାଜିକ ଓ ଆର୍ଥିକ ସ୍ଥିତି ସମ୍ପର୍କିତ ବିବରଣୀ ରେକର୍ଡ କରିବେ।
ଏହା ମାଧ୍ୟମରେ ରାଜ୍ୟର ମୋଟ ଜନସଂଖ୍ୟା ସହ ସାମାଜିକ ଗଠନର ସଠିକ୍ ଚିତ୍ର ମିଳିପାରିବ।ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଜନଗଣନା କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ସ୍ୱଚ୍ଛ ଓ ସୁରକ୍ଷିତ ପ୍ରକ୍ରିୟାରେ କରାଯିବ। ଲୋକମାନଙ୍କୁ ଭୟଭୀତ ନ ହୋଇ ସଠିକ୍ ସୂଚନା ଦେବାକୁ ଅନୁରୋଧ କରାଯାଇଛି। ଜନଗଣନାରେ ସଂଗ୍ରହିତ ତଥ୍ୟ ଗୋପନୀୟ ରଖାଯିବ ଓ କେବଳ ସରକାରୀ ଯୋଜନା ଓ ନୀତି ତିଆରିରେ ବ୍ୟବହୃତ ହେବ ବୋଲି ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।

