Sat. Feb 21st, 2026

ନ୍ୟୁଜ ଡେକ୍ସ : ଓଡ଼ିଶାରେ ବ୍ୟାଡମିଣ୍ଟନ କ୍ରୀଡ଼ାର ଉନ୍ନତି ପାଇଁ ଆଉ ଗୋଟିଏ ମହତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଅବସ୍ଥିତ ଡାଲମିଆ ଭାରତ ପୁଲେଲା ଗୋପୀଚାନ୍ଦ ବ୍ୟାଡମିଣ୍ଟନ ହାଇ ପରଫର୍ମାନ୍ସ ସେଣ୍ଟରରେ ଖୁବଶୀଘ୍ର ‘ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ଏକାଡେମୀ’ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଆସନ୍ତା ଏପ୍ରିଲ ୧ ତାରିଖରୁ ଏହି ଏକାଡେମୀ ପୂର୍ଣ୍ଣ ଭାବେ ଚାଲୁ ହେବ।ରାଜ୍ୟର ପ୍ରତିଭାବାନ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଉଚ୍ଚମାନର ପ୍ରଶିକ୍ଷଣ ଦେବା ଓ ଆନ୍ତର୍ଜାତୀୟ ସ୍ତରର ଖେଳାଳି ସୃଷ୍ଟି କରିବା ଲକ୍ଷ୍ୟରେ ଏହି କେନ୍ଦ୍ରକୁ ରାଜ୍ୟ ପ୍ରଶିକ୍ଷଣ ଏକାଡେମୀ ଭାବେ ଗଢ଼ି ତୋଳାଯାଉଛି।

ଏନେଇ ପୁଲେଲା ଗୋପୀଚାନ୍ଦଙ୍କ ପୁଲେଲା ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଫାଉଣ୍ଡେସନର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିସାରିଛନ୍ତି। ଏକାଡେମୀକୁ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ, ଡାଲମିଆ ସିମେଣ୍ଟ ଏବଂ ପୁଲେଲା ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଫାଉଣ୍ଡେସନର ମିଳିତ ପ୍ରୟାସ ଜାରି ରହିଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବାର୍ଷିକ କାର୍ଯ୍ୟପରିଚାଳନା, ପ୍ରଶିକ୍ଷଣ ବ୍ୟବସ୍ଥା ଓ ଆନୁଷଙ୍ଗିକ ଖର୍ଚ୍ଚ ସମ୍ପର୍କରେ ଆଲୋଚନା ହୋଇଥିଲା।ରାଜ୍ୟ ସରକାର ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ସହ ଡାଲମିଆ ସିମେଣ୍ଟ ମଧ୍ୟ ଏହାରେ ଆର୍ଥିକ ସହଯୋଗ କରିବ। ଏକାଡେମୀ ଆରମ୍ଭ ସମ୍ପର୍କିତ ଯେକୌଣସି ଆନୁଷଙ୍ଗିକ ସମସ୍ୟାର ସମାଧାନ ପାଇଁ ସମସ୍ତ ପ୍ରକାର ସହଯୋଗ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଇଛନ୍ତି।ଅନୁ ଗର୍ଗ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ କ୍ରୀଡ଼ା ପ୍ରତି ଦୃଢ଼ ପ୍ରତିବଦ୍ଧତା ରହିଛି। କଳିଙ୍ଗ ଷ୍ଟାଡିୟମରେ ଅନ୍ୟ କ୍ରୀଡ଼ା ସହିତ ବ୍ୟାଡମିଣ୍ଟନ ପ୍ରଶିକ୍ଷଣକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି ଏକାଡେମୀ ମାଧ୍ୟମରେ ରାଜ୍ୟର ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଉଚ୍ଚମାନର ପ୍ରଶିକ୍ଷଣ ଯୋଗାଇ ଦିଆଯିବ।

ପ୍ରସିଦ୍ଧ ବ୍ୟାଡମିଣ୍ଟନ କୋଚ ପୁଲେଲା ଗୋପୀଚାନ୍ଦ ମଧ୍ୟ ଏକାଡେମୀ ଆରମ୍ଭ ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି। ସେ ଓଡ଼ିଶାର ପ୍ରତିଭାବାନ ଖେଳାଳିଙ୍କୁ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଦେଇ ରାଜ୍ୟକୁ ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ ମାନଚିତ୍ରରେ ନୂଆ ପରିଚୟ ଦେବାକୁ ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି।ବୈଠକରେ କ୍ରୀଡ଼ା ଓ ଯୁବ ସେବା ବିଭାଗର କମିଶନର ଭୁପେନ୍ଦ୍ର ସିଂ ପୁନିଆ, କ୍ରୀଡ଼ା ନିର୍ଦ୍ଦେଶକ ଡ଼ଃ ୟେଦୁଲା ବିଜୟ ଓ ଡାଲମିଆ ସିମେଣ୍ଟର କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *