Sat. Feb 21st, 2026

ନ୍ୟୁଜ ଡେକ୍ସ : ଦକ୍ଷିଣ ଭାରତୀୟ ସିନେମାର ସବୁଠାରୁ ଲୋକପ୍ରିୟ ଥ୍ରିଲର୍ ଫ୍ରାଞ୍ଚାଇଜ ମଧ୍ୟରୁ ଗୋଟିଏ ‘ଦୃଶ୍ୟମ’ ସିରିଜର ତୃତୀୟ ଓ ଶେଷ ଭାଗ ଚଳିତ ବର୍ଷ ଏପ୍ରିଲ ମାସରେ ପରଦାକୁ ଆସିବ। ମୋହନଲାଲଙ୍କ ଅଭିନୟରେ ତିଆରି ହୋଇଥିବା ଏହି ଫିଲ୍ମ ସିରିଜ ଦର୍ଶକଙ୍କ ମନରେ ଏକ ବିଶେଷ ସ୍ଥାନ ଦଖଲ କରିଛି। ନିର୍ଦ୍ଦେଶକ ଜୀତୁ ଜୋସେଫ ଏହା ସ୍ପଷ୍ଟ କରିଛନ୍ତି ଯେ ‘ଦୃଶ୍ୟମ–୩’ ଏହି ଫ୍ରାଞ୍ଚାଇଜର ଶେଷ ଫିଲ୍ମ ହେବ ଏବଂ ଏହା ସହିତ ଏହି ଲୋକପ୍ରିୟ କାହାଣୀର ସମାପ୍ତି ହେବ।

‘ଦୃଶ୍ୟମ’ ଏବଂ ‘ଦୃଶ୍ୟମ–୨’ ଦୁହିଁଟି ଫିଲ୍ମ ମାଲାୟଲମ ସିନେମାରେ ମାତ୍ର ନୁହେଁ, ସାରା ଭାରତରେ ମଧ୍ୟ ଦର୍ଶକଙ୍କ ଭରପୂର ସ୍ନେହ ପାଇଥିଲା। ବକ୍ସ ଅଫିସରେ ଏହି ଦୁଇଟି ଭାଗ ଭଲ ବ୍ୟବସାୟ କରିଥିବା ବେଳେ, ମୋହନଲାଲଙ୍କ ଅଭିନୟ ଓ ଜୀତୁ ଜୋସେଫଙ୍କ ନିର୍ଦ୍ଦେଶନାକୁ ଭୁରିଭୁରି ପ୍ରଶଂସା ମିଳିଥିଲା। ଏହି ସଫଳତା ସମ୍ପର୍କରେ ଜୀତୁ ଜୋସେଫ କହିଛନ୍ତି, “ମୁଁ କେବେ ବି ଏଭଳି ଏକ ଫ୍ରାଞ୍ଚାଇଜ୍ ତିଆରି କରିବି ବୋଲି ଭାବିନଥିଲି। ଏହାର ସଫଳତା ମୋ ପାଇଁ ନିଶ୍ଚିତ ଭାବେ ଆନନ୍ଦର ବିଷୟ।” ନିର୍ଦ୍ଦେଶକ କହିଛନ୍ତି ଯେ ଏବେ ଦର୍ଶକମାନେ ନିଜେ ଏହି କାହାଣୀକୁ ଏକ ଭଲ ଅନ୍ତ ସହିତ ଶେଷ କରିବାକୁ ଚାହୁଁଛନ୍ତି। ତେଣୁ ସେ ମଧ୍ୟ ଏହାକୁ ଅନାବଶ୍ୟକ ଭାବେ ଲମ୍ବା କରିବା ପକ୍ଷରେ ନୁହେଁ। “ଅଧିକ ଆଶା ଓ ଚାପ ନେଇ ଫିଲ୍ମ ଦେଖିଲେ ତାହାର ମଜା ନଷ୍ଟ ହୁଏ।

ଦର୍ଶକ ଯଦି ଚାପ ଛାଡ଼ି ଦୃଶ୍ୟମ–୩ ଦେଖିବେ, ତେବେ ସେମାନେ ଏହାକୁ ଭଲ ଭାବେ ଉପଭୋଗ କରିପାରିବେ,” ବୋଲି ଜୀତୁ ଜୋସେଫ କହିଛନ୍ତି।‘ଦୃଶ୍ୟମ–୩’ ପ୍ରଥମେ ମାଲାୟଲମ ଭାଷାରେ ରିଲିଜ ହେବ। ଏହାର ପ୍ରାୟ ୬ ମାସ ପରେ ଅଜୟ ଦେବଗାନ ଅଭିନୀତ ହିନ୍ଦୀ ଭର୍ସନ ମଧ୍ୟ ପରଦାକୁ ଆସିବ। ହିନ୍ଦୀ ସଂସ୍କରଣ ମଧ୍ୟ ଏହି ସିରିଜକୁ ନୂଆ ଦର୍ଶକମାନଙ୍କ ନିକଟରେ ପହଞ୍ଚାଇବ ବୋଲି ଆଶା କରାଯାଉଛି।ସମଗ୍ର ଭାବେ ‘ଦୃଶ୍ୟମ–୩’ କୁ ନେଇ ଦର୍ଶକମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଉଛି। ମୋହନଲାଲଙ୍କ ଅଭିନୟ ଓ ଜୀତୁ ଜୋସେଫଙ୍କ ଗଭୀର କାହାଣୀ କହିବା ଶୈଳୀ ଏହି ଶେଷ ଭାଗକୁ ମଧ୍ୟ ଏକ ସ୍ମରଣୀୟ ଅନୁଭୂତି କରିଦେବ ବୋଲି ସିନେପ୍ରେମୀମାନେ ଆଶା କରୁଛନ୍ତି।

Leave a Reply

Your email address will not be published. Required fields are marked *