ନ୍ୟୁଜ ଡେକ୍ସ: ଆସନ୍ତା ଏପ୍ରିଲ ୨ ତାରିଖରୁ ପ୍ରତ୍ୟେକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଓ ଶିଶୁ ବାଟିକା ନିମନ୍ତେ ନାମଲେଖା ଆରମ୍ଭ ହେବ । ନାମ ଲେଖା ବୟସକୁ ୬ ବର୍ଷ ରଖାଯାଇଛି । ଏଥିପାଇଁ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ତରଫରୁ ପିଲାଙ୍କ ପାଇଁ କାର୍ଯ୍ୟ ପୁସ୍ତିକା ଓ ଶିକ୍ଷକଙ୍କ ପାଇଁ ଶିକ୍ଷକ ସହାୟକ ପୁସ୍ତିକା ପ୍ରସ୍ତୁତ କରାଯାଇଛି ।
୨୦୨୫-୨୬ ଶିକ୍ଷାବର୍ଷରୁ ଏଠାରେ ୫-୬ବର୍ଷ ବୟସର ପିଲାଙ୍କ ନାମଲେଖା ସହ ପାଠପଢ଼ା ଆରମ୍ଭ ହେବ। ଏନେଇ ପ୍ରସ୍ତୁତି ଓ ପ୍ରକ୍ରିୟା ଆରମ୍ଭ କରିବାକୁ ବିଭାଗୀୟ କମିଶନର କମ୍ ସେକ୍ରେଟାରୀ ସାଲିନୀ ପଣ୍ଡିତ ଏକ ବିଜ୍ଞପ୍ତି ଜରିଆରେ ସମସ୍ତ ଜିଲାପାଳ, ଅଧ୍ୟକ୍ଷ ଏବଂ ସମଗ୍ର ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ରାଜ୍ୟରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷାର ଗୁରୁତ୍ୱକୁ ଗୁରୁତ୍ୱ ଦିଆଯାଇ ‘ଶିଶୁ ବାଟିକା’ ନାମରେ ଏକ ଅତିରିକ୍ତ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।
ଶିଶୁ ବାଟିକାରେ ପିଲାମାନେ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପାଠପଢ଼ିବେ। ଟିଇ ଆଣ୍ଡ୍ ଏସ୍ସିଇଆର୍ଟି ଦ୍ୱାରା ବିକଶିତ ସମସ୍ତ ପୁସ୍ତକ ଏପ୍ରିଲ ୧ ସୁଦ୍ଧା ସମସ୍ତ ପିଲାଙ୍କୁ ଦିଆଯିବ। ସମସ୍ତ ଶିଶୁ ବାଟିକା ପିଲାଙ୍କୁ ଏକ କିଟ୍ ପ୍ରଦାନ କରାଯିବ। ଏହି କିଟ୍ରେ ସ୍କୁଲ ବ୍ୟାଗ ସହିତ ପାଠ୍ୟକ୍ରମ ଉପକରଣ ଅନ୍ତର୍ଭୁକ୍ତ ହେବ।
