ନ୍ୟୁଜ ଡେକ୍ସ : ରାଜ୍ୟର ଗାଡ଼ିଚାଳକମାନଙ୍କ ପାଇଁ ସରକାର ଏକ ଆଶ୍ୱାସନମୂଳକ ନିଷ୍ପତ୍ତି ଘୋଷଣା କରିଛନ୍ତି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରଦୂଷଣ ଯାଞ୍ଚ ଓ ଜରିମାନା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସହଜତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ପ୍ରଦୂଷଣ ପ୍ରମାଣପତ୍ର (PUC) ନଥିବାକୁ ନେଇ କୌଣସି ଗାଡ଼ିଚାଳକଙ୍କ ଉପରେ ଜରିମାନା ଲାଗୁ କରାଯିବ ନାହିଁ ବୋଲି ରାଜ୍ୟ ପରିବହନ ପ୍ରାଧିକରଣକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।
ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଟୋଲଗେଟରେ ଲାଗୁ ହୋଇଥିବା ଇ-ଡିଟେକ୍ସନ ବ୍ୟବସ୍ଥା ମାଧ୍ୟମରେ ମଧ୍ୟ ପ୍ରଦୂଷଣ ସମ୍ପର୍କିତ ଚାଲାଣ କଟାଯିବ ନାହିଁ। ଏହାସହ ଏହି ଅବଧି ପର୍ଯ୍ୟନ୍ତ ପ୍ରଦୂଷଣ ନେଇ ଲାଗୁ ହେଉଥିବା ସମସ୍ତ ପ୍ରକାର ଜରିମାନାକୁ ସ୍ଥଗିତ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି।ସେହିପରି, ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ମୋଟର ଯାନ ଆଇନ ଅନୁଯାୟୀ ଲାଗୁ ହେଉଥିବା ୧୦ ହଜାର ଟଙ୍କା ଜରିମାନାକୁ କମାଇବା ସମ୍ପର୍କରେ ତର୍ଜମା କରିବାକୁ ବିଭାଗକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ୱାରା ସାଧାରଣ ଗାଡ଼ିଚାଳକମାନେ ବଡ଼ ଆର୍ଥିକ ଭାରରୁ ମୁକ୍ତି ପାଇବେ ବୋଲି ଆଶା କରାଯାଉଛି।
ତଥାପି ମନ୍ତ୍ରୀ ଗାଡ଼ିଚାଳକମାନଙ୍କୁ ଆହ୍ୱାନ କରି କହିଛନ୍ତି ଯେ, ଅଧିକ ପ୍ରଦୂଷଣ ସୃଷ୍ଟି କରୁଥିବା ଗାଡ଼ି ବ୍ୟବହାର କରିବାରୁ ବିରତ ରୁହନ୍ତୁ ଏବଂ ଏହି ସମୟ ସୀମା ମଧ୍ୟରେ ନିଜ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର କରାଇ ନିଅନ୍ତୁ।ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଯେ, ଗାଡ଼ିର ପ୍ରଦୂଷଣ ଯାଞ୍ଚ କରିବା ସମସ୍ତଙ୍କ ଦାୟିତ୍ୱ ଓ ଆଇନଗତ ବାଧ୍ୟତା। ରାଜ୍ୟରେ ବର୍ତ୍ତମାନ କେବଳ ୨୧ ପ୍ରତିଶତ ଗାଡ଼ିରେ ମାତ୍ର ପ୍ରଦୂଷଣ ପ୍ରମାଣପତ୍ର ରହିଛି, ଯାହା ଚିନ୍ତାର ବିଷୟ। ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେଉଥିବାରୁ ପରିବେଶ ସୁରକ୍ଷା ନିମନ୍ତେ ଆଗାମୀ ଦିନରେ ପ୍ରଦୂଷଣ ଯାଞ୍ଚ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

