ନ୍ୟୁଜ ଡେକ୍ସ: ରାଜ୍ୟରେ ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ତାତି । ରାଜ୍ୟରେ ୩୮ ଡ଼ିଗ୍ରୀ ଟପିଲା ତାପମାତ୍ରା । ଟିଟିଲାଗଡ଼ ଓ ଝାରସୁଗୁଡ଼ା ଓ ବଲାଙ୍ଗିରେ ରେକର୍ଡ କରିଛି ତାତି । ଶନିବାର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କରିଛି ଟିଟିଲାଗଡ଼ । ଟିଟିଲାଗଡ଼ରେ ୩୮.୫ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି । ଏବର୍ଷ ମାର୍ଚ୍ଚ ମାସରୁ ମେ ମାସ ଯାଏ ଗ୍ରୀଷ୍ମଲହରୀ ଅବଧି ବଢ଼ିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି।
ଏହାର ପ୍ରତିଫଳନ ଏବେଠାରୁ ଦିଶିଲାଣି। ମାର୍ଚ୍ଚ ମାସ ଆରମ୍ଭ ହେଉ ହେଉ ତାତି ୩୮ ଡିଗ୍ରୀ ଟପି ସାରିଲାଣି। ଶନିବାର ୧୧ ସହରରେ ତାପମାତ୍ରା ୩୭ ଡିଗ୍ରୀ ବା ଏହାଠାରୁ ଅଧିକ ରହିଛି। ଝାରସୁଗୁଡ଼ାରେ ୩୮.୨, ବଲାଙ୍ଗୀରରେ ୩୮, ସୋନପୁରରେ ୩୭.୭, ଅନୁଗୁଳରେ ୩୭.୭, ସମ୍ବଲପୁରରେ ୩୭.୬, ସୁନ୍ଦରଗଡ଼ରେ ୩୭.୫, ଭବାନୀପାଟଣାରେ ୩୭.୨, ହୀରାକୁଦରେ ୩୭.୧, ବୌଦ୍ଧରେ ୩୭ ଓ ବାରିପଦାରେ ୩୭ ଡିଗ୍ରୀ ରେକର୍ଡ ହୋଇଛି। ଶୁକ୍ରବାର ଝାରସୁଗୁଡ଼ାରେ ଦିନବେଳାର ତାତି ୩୭ ଡିଗ୍ରୀ ଥିଲା। ଶନିବାର ୧ଡିଗ୍ରୀରୁ ଅଧିକ ବଢ଼ିଛି। ସମ୍ବଲପୁରରେ ବି ୧ଡିଗ୍ରୀରୁ ଅଧିକ ବଢ଼ିଯାଇଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ଦିନ ତାତି ୩୪.୨ ଡିଗ୍ରୀ ରହିଛି। ଆସନ୍ତା ୪ ତାରିଖ ଯାଏ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଶେଷଜ୍ଞ ଡ. ଶରତ ସାହୁ ପୂର୍ବାନୁମାନ କରିଛନ୍ତି। ଏବେ ଦେଶର ପଶ୍ଚିମ ଭାଗରୁ ରାଜ୍ୟକୁ ପବନ ଆସୁଛି।
୫ ଓ ୬ ତାରିଖରୁ ଉତ୍ତରାଖଣ୍ଡ ଓ ହିମାଳୟରୁ ପବନ ଆସିବ ।ମାର୍ଚ୍ଚ ଓ ଏପ୍ରିଲ ମାସରେ ତାପମାତ୍ରା ଅଧିକ ରହିବା ସହ ଲମ୍ବା ସମୟ ଧରି ଜାରି ରହିବ ଗ୍ରୀଷ୍ମ ପ୍ରବାହ । ମେ‘ ମାସ ଯାଏଁ ସ୍ବାଭାବିକଠୁ ଅଧିକ ତାପମାତ୍ରା ଲାଗି ରହିବ । ଆଗକୁ ସ୍ଥିତି ଅସମ୍ଭାଳ ହେବ । ଦିନ ସହ ରାତିରେ ମଧ୍ୟ ଗରମରୁ ମିଳିବନି ତ୍ରାହି । ମାର୍ଚ୍ଚରେ ମଧ୍ୟ ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ ସ୍ଥିତି ଆଶଙ୍କା ରହିଛି ବୋଲି ଆଶଂକା କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।
