ନ୍ୟୁଜ ଡେକ୍ସ : ବହୁଚର୍ଚ୍ଚିତ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ସିବିଆଇ ତଦନ୍ତ ଜୋରଦାର କରିଥିବାବେଳେ ଆଉ ଜଣେ ଦଲାଲଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବିହାରର ଅମିତ୍ ଭରତୀ। ଗତକାଲି ସିବିଆଇ ତାଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି।ସୂଚନା ଅନୁଯାୟୀ, ଏହି ଜାଲିଆତି ଘଟଣାରେ ସିବିଆଇ ପୂର୍ବରୁ ଗତ ୧୯ ତାରିଖରେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି, ସିଲିକନ୍ ଟେକ୍ ଲ୍ୟାବ୍ ପ୍ରମୋଟର ସୁରେଶ ନାୟକ ଏବଂ ତାଙ୍କ ଘନିଷ୍ଟ ସହଯୋଗୀ ସାଗର ଗୌଡ଼କୁ ୪ ଦିନିଆ ରିମାଣ୍ଡରେ ନେଇଥିଲା।
ଏହି ରିମାଣ୍ଡ ସମୟରେ ସିବିଆଇ ଶଙ୍କରଠାରୁ ଅନେକ ବିସ୍ଫୋରକ ତଥ୍ୟ ଆଦାୟ କରିଥିବା ସୂଚନା ମିଳିଛି।ତଦନ୍ତରେ ଏହି ଜାଲିଆତି ପଛରେ କେଉଁ କେଉଁ ନେତା ଓ ଆଇପିଏସ୍ ଅଫିସରଙ୍କ ଭୂମିକା ରହିଛି, ସେ ସମ୍ପର୍କରେ ମଧ୍ୟ ସିବିଆଇ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଥିବା ଜଣାପଡ଼ିଛି। ଏହା ସହ ଜଣେ ପୂର୍ବତନ ଜେଲ୍ ଡିଜି ମଧ୍ୟ ସିବିଆଇ ସ୍କାନରକୁ ଆସିଥିବା ଖବର ମିଳିଛି। ସିବିଆଇ ସୂତ୍ର ଅନୁଯାୟୀ, ସିଲିକନ୍ ଟେକ୍ ଲ୍ୟାବ୍ ପ୍ରମୋଟର ସୁରେଶ ନାୟକଙ୍କଠାରୁ ବିହାରର ଅମିତ୍ ଭରତୀ ସମ୍ପର୍କରେ ସୂଚନା ମିଳିଥିଲା। ଅମିତ୍ଙ୍କ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିବା ପ୍ରମାଣ ସିବିଆଇ ପାଇଛି। ଏହି ଟଙ୍କାକୁ ଅମିତ୍ ନଗଦରେ ବଦଳାଇ ସୁରେଶଙ୍କୁ ପଠାଇଥିବା ମଧ୍ୟ ସ୍ପଷ୍ଟ ହୋଇଛି।
ତଦନ୍ତରେ ଜଣାପଡ଼ିଛି ଯେ କେବଳ ଅମିତ୍ ନୁହେଁ, ରାଜ୍ୟ ବାହାରରେ ଏମିତି ଅନେକ ଲୋକଙ୍କ ମାଧ୍ୟମରେ ଶଙ୍କର ଓ ସୁରେଶ ଟଙ୍କା କାରବାର କରୁଥିଲେ। ଏହି ମାମଲାରେ ସିବିଆଇ ଆଉ କିଛି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିବାବେଳେ, ପୂର୍ବରୁ ଗିରଫ ହୋଇ ଜାମିନରେ ମୁକ୍ତି ପାଇଥିବା ପରୀକ୍ଷାର୍ଥୀମାନଙ୍କୁ ଜେରା ପାଇଁ ସମନ ଜାରି କରାଯାଇଛି।ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ତଦନ୍ତ ଆଗକୁ ବଢ଼ିବା ସହ ଆଗାମୀ ଦିନରେ ଆଉ କିଛି ବଡ଼ ନାମ ସାମ୍ନାକୁ ଆସିପାରେ ବୋଲି ସିବିଆଇ ସୂତ୍ରରୁ ସୂଚନା ମିଳିଛି।

