ନ୍ୟୁଜ ଡେକ୍ସ: ମ୍ୟୁଜିକ କମ୍ପୋଜର ଏ ଆର୍ ରେହମାନ ଓ ତାଙ୍କ ପତ୍ନୀ ସାଇରା ବାନୁଙ୍କ ଛାଡପତ୍ର ମାମଲା ଚର୍ଚ୍ଚାରେ ରହିଛି। କିଛି ଦିନ ପୂର୍ବରୁ ଏ.ଆର୍ ରେହମାନ ଏନେଇ ଘୋଷଣା କରିବା ପରେ ଟ୍ରୋଲ୍ ର ସମ୍ମୁଖୀନ ହୋଇଥିଲେ। ଏଭଳି ପରିସ୍ଥିତିରେ ଯେଉଁମାନେ ତାଙ୍କୁ ବଦନାମ କରୁଛନ୍ତି, ସେମାନଙ୍କ ବିରୋଧରେ ଏ. ଆର୍ ରେହମାନ୍ ଙ୍କ ଟିମ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଦୀର୍ଘ ୨୯ ବର୍ଷର ବିବାହ ପରେ ଏଆର୍ ରହମାନ ନିଜ ପତ୍ନୀ ସାଇରା ବାନୁଙ୍କ ଠାରୁ ଅଲଗା ହୋଇଛନ୍ତି। ତେବେ ଦୁହିଁଙ୍କ ଛାଡପତ୍ରକୁ ନେଇ ଅନେକ ପ୍ରକାରର କଣ୍ଟେଣ୍ଟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଆପିତ୍ତି ଉଠାଇଛନ୍ତି ଏଆର୍ ରହମାନ। ଏହିପରି ଖବର ସେୟାର କରୁଥିବା ଲୋକଙ୍କ ବିରୋଧରେ ସେ ଆଇନର ସାହାରା ନେଇଛନ୍ତି। ଏଭଳି ଖବର ଉପରେ ବ୍ରେକ୍ ଲଗାଇବା ପାଇଁ ପଠାଇଛନ୍ତି ନୋଟିସ୍। ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ରହମାନ ୪ ପୃଷ୍ଠା ସମ୍ବଳିତ ନୋଟିସ୍କୁ ସେୟାର ମଧ୍ୟ କରିଛନ୍ତି। ଏଥିରେ ଏଆର୍ ରହମାନଙ୍କ ବିରୋଧରେ ଅନେକ ମିଥ୍ୟା ଗୁଜବ ପ୍ରଚାର କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଚେତାବନୀ ମଧ୍ୟ ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଯେଉଁମାନେ ଏଆର୍ ରହମାନଙ୍କ ବିରୋଧରେ ଆପତ୍ତିଜନକ କଣ୍ଟେଣ୍ଟ ସେୟାର କରୁଛନ୍ତି ସେମାନଙ୍କୁ ଆଇନଗତ ନୋଟିସ୍ ଜାରି କରାଯାଇଛି।
କିଛି ଦିନ ପୂର୍ବେ ଏଆର୍ ରହମାନ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ନିଜ ଛାଡପତ୍ରର ସୂଚନା ଦେଇଥିଲେ। କିଛି ଖବରକାଜରେ ଏହି ଖବର ପ୍ରକାଶ ପାଇଥିଲା। ଏଥିସହ ଦମ୍ପତିଙ୍କ ମିଳିତ ବୟାନକୁ ମଧ୍ୟ ସେଥିରେ ଉପସ୍ଥାପିତ କରାଯାଇଥିଲା।ଅନେକ ସ୍ଥାନରେ ଏଭଳି ଖବର ଓ ସାକ୍ଷାତକାରଗୁଡ଼ିକ ପ୍ରଦର୍ଶିତ କରାଯାଇଥିଲା, ଯାହା ସମ୍ପୂର୍ଣ୍ଣ ଭୁଲ୍ ଏବଂ ମିଥ୍ୟା ଥିଲା। ତାଙ୍କୁ ବଦନାମ କରିବା ଏବଂ ତାଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଏଭଳି ମିଥ୍ୟା ଖବର ପ୍ରସାରିତ କରାଯାଇଥିଲା। ଏଭଳି ଅପମାନଜନକ କଣ୍ଟେଣ୍ଟ ସେୟାର ନକରିବାକୁ କିମ୍ବା ଅନ୍ୟମାନଙ୍କୁ ଏହା କରିବାକୁ ଉତ୍ସାହିତ ନକରିବାକୁ ଚେତାବନୀ ଦିଆଯାଇଛି।
ତୁରନ୍ତ୨୪ ଘଣ୍ଟା ଭିତରେ ଏଭଳି ଅପମାନଜନକ କଣ୍ଟେଣ୍ଟ ହଟାଇବାକୁ ଏଆର୍ ରହମାନ କହିଛନ୍ତି। ଯଦି ଏଭଳି ନକରାଯାଏ ତେବେ ଧାରା ୩୫୬ ଅନୁଯାୟୀ ଅପରାଧିକ ମାନହାନୀ ମାମଲା ରୁଜୁ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏହି ନୋଟିସ୍ ବିଶେଷ ରୂପେ ୟୁଟ୍ୟୁବ୍, ଏକ୍ସ, ଇନଷ୍ଟାଗ୍ରାମ, ଫେସବୁକ୍ ପରି ଅନଲାଇନ୍ ନ୍ୟୁଜ୍ ପୋର୍ଟାଲଗୁଡିକ ପାଇଁ ମଧ୍ୟ ଜାରି କରାଯାଇଛି।