ନ୍ୟୁଜ ଡେକ୍ସ: ରାଜ୍ୟ ସରକାର ବିଭିନ୍ନ ସରକାରୀ ଅଫିସରେ କାର୍ଯ୍ୟରତ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ (ଓଏଏସ)ମାନଙ୍କୁ ବଦଳି ନିର୍ଦ୍ଦେଶ ଦେଲେ । ହେଲେ ଓଏଏସ୍ ଅଧିକାରୀମାନେ ସରକାରଙ୍କ ନିର୍ଦ୍ଦେଶକୁ ଖାତିର କରୁନାହାନ୍ତି । ଏବେ ସରକାର ଏ ଦିଗରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।
ଆସନ୍ତା ୧୦ ତାରିଖ ସୁଦ୍ଧା ଯଦି ଏହି ଅଧିକାରୀମାନେ ସେମାନଙ୍କ କାର୍ଯ୍ୟସ୍ଥଳରେ ଯୋଗ ନ ଦେବେ ତେବେ ସେମାନଙ୍କୁ ୧୧ ତାରିଖରେ ତୁରନ୍ତ ନିଲମ୍ବନ କରାଯିବ । ଆସନ୍ତା ୧୦ ତାରିଖ ମଧ୍ୟରେ ଯଦି ବଦଳିହୋଇଥିବା ତଥା ନୂଆ ଦାୟିତ୍ବ ମିଳିଥିବା ଓଏଏସ ଅଧିକାରୀ ନୂଆ ସ୍ଥାନରେ ଯୋଗ ନଦିଅନ୍ତି ତେବେ ୧୧ ତାରିଖରୁ ସେମାନଙ୍କୁ ନିଲମ୍ବନ କରାଯିବ ବୋଲି କଡା ଚେତାବନୀ ଦେଇଛନ୍ତି ସରକାର । ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ଗତ ନଭେମ୍ବର ୨୬ ତାରିଖରେ କିଛି ଓଏଏସ ଅଫିସରମାନଙ୍କର ବଡ଼ ଧରଣର ବଦଳି କରାଯାଇଥିଲା, କିନ୍ତୁ ବଦଳି ସତ୍ତ୍ୱେ ଅନେକ ଓଏଏସ ଅଧିକାରୀ ନୂଆ ସ୍ଥାନରେ ଯୋଗ ଦେଉ ନାହାନ୍ତି । ପୂର୍ବପରି ନିଜର ସେଇ ପୂର୍ବ ସ୍ଥାନରେ କାର୍ଯ୍ୟ କରି ଆସୁଛନ୍ତି । ଯେଉଁ କାରଣରୁ ସେମାନଙ୍କ ଦରମା ବନ୍ଦ କରିବାକୁ ଗତ ୩ ତାରିଖରେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର ।ଯେଉଁ ଓଏଏସ ଅଧିକାରୀମାନେ ଭୁବନେଶ୍ୱରରେ ବିଭାଗୀୟ ଟ୍ରେନିଂରେ ଅଛନ୍ତି ସେମାନେ ଟ୍ରେନିଂ ସରିବା ମାତ୍ରେ ତୁରନ୍ତ ନୂଆ ସ୍ଥାନରେ ଯୋଗ ଦେବାକୁ କୁହାଯାଇଛି ।