ନ୍ୟୁଜ ଡେକ୍ସ : ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ, ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ଓଡ଼ିଶା ନଲେଜ କର୍ପୋରେସନ ଲିମିଟେଡ୍ (OKCL)ର ବାର୍ଷିକ ମିଟ୍-୨୦୨୬ ଶନିବାର ଭୁବନେଶ୍ୱରର ରେଳ ଅଡିଟୋରିଅମ୍ରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ ସାକ୍ଷର ରାଜ୍ୟରେ ପରିଣତ କରିବା ପାଇଁ ନିଜର ଦୃଷ୍ଟିକୋଣ ଓ ରୋଡମ୍ୟାପ ପ୍ରସ୍ତୁତ କରିଥିଲେ।
ଏହି ଅବସରରେ ସେ ଓକେସିଏଲର ଦୁଇଟି ନୂତନ ପ୍ରୋଗ୍ରାମ OS-ACIT ଓ Internship Portal କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଏହି ପଦକ୍ଷେପ ଆଗାମୀ ଓଡ଼ିଶାର ଯୁବପିଢ଼ିଙ୍କୁ ଡିଜିଟାଲ୍ କୌଶଳ ଓ ରୋଜଗାରମୁଖୀ ଶିକ୍ଷାରେ ନୂତନ ଦିଗ ଦେବ ବୋଲି କୁହାଯାଇଛି। କାର୍ଯ୍ୟକ୍ରମଟି ଡ଼. ପ୍ରଦୀପ କୁମାର ରାଉତ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (OCAC) ଏବଂ ବିଶେଷ ସଚିବ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା। ସେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ହଜାରରୁ ଅଧିକ ନିର୍ଦ୍ଦେଶକ ଓ କେନ୍ଦ୍ରମୁଖ୍ୟମାନଙ୍କୁ ସମ୍ବୋଧିତ କରି OKCLର ୨୦୨୫ ମସିହାର ସାର୍ଥକ କାର୍ଯ୍ୟଦକ୍ଷତା ପାଇଁ ସମସ୍ତ ହିତଧାରୀଙ୍କ ଏକତ୍ର ପ୍ରୟାସକୁ ପ୍ରଶଂସା କରିଥିଲେ। ଡ଼. ମନୋରଞ୍ଜନ ପୁଥାଳଙ୍କ ଦୃଢ଼ ନେତୃତ୍ୱରେ ସଂସ୍ଥା ଆଗାମୀ ବର୍ଷରେ ନୂତନ ସଫଳତା ହାସଲ କରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।
ଏହି ଅବସରରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା କେନ୍ଦ୍ରମାନଙ୍କୁ ସମ୍ମାନିତ କରାଯାଇଥିଲା ଏବଂ OKCLର ସଫଳ ଯାତ୍ରାକୁ ଉଦ୍ଧାର କରୁଥିବା ଏକ ଭିଡିଓ ମୁକ୍ତିଲାଭ କରିଥିଲା। ଭୋପାଳ ସ୍ଥିତ ନାସନାଲ୍ ଇନଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଟିଚର୍ସ୍ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ (NITTTR)ର ଡ଼. ସୁମନ ପଟ୍ଟନାୟକ ମଧ୍ୟ ଯୋଗଦେଇ OKCL ନେଟୱର୍କ ସଦସ୍ୟମାନଙ୍କୁ ପ୍ରେରଣାଦାୟକ ଉଦ୍ବୋଧନ ଦେଇଥିଲେ। OKCLର ପ୍ରବନ୍ଧନ ନିର୍ଦ୍ଦେଶକ ଡ଼. ମନୋରଞ୍ଜନ ପୁଥାଳ କହିଥିଲେ ଯେ, ସମଗ୍ର ରାଜ୍ୟରେ ଥିବା ୮୫୦ରୁ ଅଧିକ ଅନୁମୋଦିତ ଶିକ୍ଷା କେନ୍ଦ୍ରମାନଙ୍କ ନିଷ୍ଠାପୂର୍ଣ୍ଣ ପ୍ରୟାସ ସଂସ୍ଥାର ସଫଳତାର ମୂଳ ଆଧାର। ସେ ଜଣାଇଥିଲେ ଯେ, ୨୦୩୦ ସୁଦ୍ଧା ଗ୍ରାମ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ବିସ୍ତାର କରି ୨,୫୦୦ରୁ ଅଧିକ କେନ୍ଦ୍ର ସ୍ଥାପନା କରାଯିବ ଏବଂ ପ୍ରତିବର୍ଷ ୫ ଲକ୍ଷରୁ ଅଧିକ ଶିକ୍ଷାର୍ଥୀଙ୍କୁ କୃତ୍ରିମ ବୁଦ୍ଧିମତା ସହିତ ଡିଜିଟାଲ୍ ସାକ୍ଷରତା ପ୍ରଦାନ କରାଯିବ।ପ୍ରଧାନମନ୍ତ୍ରୀଙ୍କ ‘AI for All’ ଏବଂ ‘AI for Good’ ଆହ୍ୱାନକୁ ମନେ ରଖି OKCL ଏହି ବର୍ଷର ସଙ୍କଳ୍ପ ଘୋଷଣା କରିଛି— “ଘରେ ଘରେ ଓଏସ-ସିଆଇଟି, ସମସ୍ତଙ୍କ ପାଇଁ କୃତ୍ରିମ ବୁଦ୍ଧିମତା, ପ୍ରତ୍ୟେକ କାର୍ଯ୍ୟରେ କୃତ୍ରିମ ବୁଦ୍ଧିମତା।” ୨୦୨୫ ବର୍ଷର ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ ଉଚ୍ଚ କାର୍ଯ୍ୟଦକ୍ଷ ଜିଲ୍ଲା ଲିଡ୍ କୋ-ଅର୍ଡିନେଟର ଓ ଅନୁମୋଦିତ ଲର୍ଣିଂ ସେଣ୍ଟରଗୁଡ଼ିକୁ ମଧ୍ୟ ପୁରସ୍କୃତ କରାଯାଇଥିଲା।

