Sat. Feb 21st, 2026

ନ୍ୟୁଜ ଡେକ୍ସ : ନିଖୋଜ ହୋଇଥିବା ଓଡ଼ିଆ ନାବିକଙ୍କୁ ଉଦ୍ଧାର କରିବା ପାଇଁ ଆନ୍ତର୍ଜାତିକ ସ୍ତରରେ ପ୍ରୟାସ ତେଜ କରାଯାଇଛି। ଭାରତ ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରାଳୟ ଓ ଓଡ଼ିଶା ସରକାରଙ୍କ ଅନୁରୋଧ ପରେ ସିଙ୍ଗାପୁର ଓ ମରିସସ ସହ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଏହି ସୂଚନା ସିପିଙ୍ଗ ଡିଜି (ଡାଇରେକ୍ଟର ଜେନେରାଲ୍ ଅଫ୍ ଶିପିଂ) ଏକ ପ୍ରେସ ରିଲିଜ ଜରିଆରେ ଦେଇଛନ୍ତି।ଡିଜିଙ୍କ ମତାନୁସାରେ, ଓଡ଼ିଶା ସରକାର ପକ୍ଷରୁ ପଠାଯାଇଥିବା ଚିଠିର ଉତ୍ତର ସ୍ୱରୂପ ସିଙ୍ଗାପୁର ଓ ମରିସସ ସହ ସମନ୍ୱୟ କରି ଏହି ଯୁଗ୍ମ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି।

MRCC (ମେରିଟାଇମ୍ ରେସ୍କ୍ୟୁ କୋଓର୍ଡିନେସନ୍ ସେଣ୍ଟର) ମାଧ୍ୟମରେ ନିଖୋଜ ନାବିକ ଥିବା ସନ୍ଦେହଜନକ ଅଞ୍ଚଳଗୁଡ଼ିକରେ ସମୁଦ୍ର ଓ ଆକାଶପଥରୁ ତଲାଶି ଜାରି ରହିଛି।ଡିଜି ଆହୁରି କହିଛନ୍ତି ଯେ, ନିଖୋଜ ଓଡ଼ିଆ ନାବିକଙ୍କୁ ଖୋଜିବା ପାଇଁ ଯେତେ ପ୍ରକାର ସାହାଯ୍ୟ ଓ ସମର୍ଥନ ଆବଶ୍ୟକ, ସେସବୁ ଯୋଗାଇଦିଆଯିବ। ଘଟଣା ସମ୍ପର୍କରେ ସଠିକ୍ ତଥ୍ୟ ଜାଣିବା ଏବଂ କିପରି ଏହି ଦୁର୍ଘଟଣା ଘଟିଲା ତାହା ତଦନ୍ତ କରିବା ପାଇଁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରାଯିବାକୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ଡିଜି ଅଫ୍ ଶିପିଂ ସ୍ପଷ୍ଟ କରିଛନ୍ତି ଯେ, ଏହି ଘଟଣା ଉପରେ ଭାରତ ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରାଳୟ ସତତାର ସହିତ ନଜର ରଖିଛି।

ନାବିକଙ୍କ ସୁରକ୍ଷା ଓ ତାଙ୍କ ଉଦ୍ଧାର ପାଇଁ ସମସ୍ତ ସମ୍ଭବ ପଦକ୍ଷେପ ନିଆଯାଉଛି।ଓଡ଼ିଆ ନାବିକ ନିଖୋଜ ଘଟଣାକୁ ନେଇ ପରିବାର ଲୋକ ଓ ରାଜ୍ୟବାସୀ ମଧ୍ୟରେ ଗଭୀର ଉତ୍କଣ୍ଠା ଦେଖାଦେଇଛି। ଆନ୍ତର୍ଜାତିକ ସ୍ତରରେ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହେବା ପରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ବୋଲି ଆଶା ବଢ଼ିଛି।

Leave a Reply

Your email address will not be published. Required fields are marked *