Mon. Feb 23rd, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ବଢ଼ୁଛି ବାଘୁଆ ଶୀତର ପ୍ରକୋପ। ପଦାକୁ ପାଦ ଦେଲେ ଦେହ କାପୁଛି, ହାତ ପା ଥରୁଛି। ମାଘ ଆସିନଥିଲେ ମଧ୍ୟ ଏବେଠୁ ଶୀତ ଜନଜୀବନକୁ କଲବଲ କରିଦେଇଛି। ଆଗାମୀ ଦିନରେ ଏହି ଶୀତ ଆହୁରି ଅସହ୍ୟ ହେବାର ସମ୍ଭାବନା ରହିଛି। ନୂଆବର୍ଷ ଯାଏ ରାଜ୍ୟବାସୀଙ୍କୁ ଶୀତରୁ ନିସ୍ତାର ମିଳିବନି ବୋଲି ପାଣିପାଗ ବିଭାଗ ଆକଳନ କରିଛି।ଗତ ଦୁଇ ସପ୍ତାହ ଧରି ରାଜ୍ୟରେ ଭୀଷଣ ଶୀତ ଜାରି ରହିଛି।

୮ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍‌ ତଳକୁ ଖସିଯାଇଛି। କୋରାପୁଟରେ ସବୁଠୁ ଅଧିକ ଶୀତ ଅନୁଭୂତ ହୋଇଛି। ଏଠାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୮ ଡିଗ୍ରୀ କମି ୪.୮ ଡିଗ୍ରୀରେ ପହଞ୍ଚିଛି, ଯାହା ୧୫ ବର୍ଷର ସବୁ ରେକର୍ଡ ଭାଙ୍ଗିଦେଇଛି।ପାଣିପାଗ ବିଭାଗ (ଆଇଏମ୍‌ଡି)ର ବିସ୍ତାରିତ ଆକଳନ ଅନୁସାରେ, ଆସନ୍ତା ଜାନୁୟାରୀ ୧ ତାରିଖ ଯାଏ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୫ରୁ ୬ ଡିଗ୍ରୀ କମ୍ ରହିପାରେ। ଜାନୁୟାରୀ ୨ରୁ ୮ ତାରିଖ ଯାଏ ପାରଦ ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ କମ୍ ରହିବା ସମ୍ଭାବନା ରହିଛି। ଡିସେମ୍ବର ପ୍ରଥମ ସପ୍ତାହରୁ ରାଜ୍ୟରେ ଶୀତ ପ୍ରକୋପ ଆରମ୍ଭ ହୋଇ ପ୍ରାୟ ୨୦ ଦିନ ଧରି ଲଗାତାର ଚାଲିଛି। ବିଗତ ବର୍ଷଗୁଡ଼ିକର ରେକର୍ଡ ଅନୁସାରେ, ଓଡ଼ିଶାରେ ସାଧାରଣତଃ ୬ରୁ ୭ ଦିନ ମାତ୍ର ଶୀତ ଲହରୀ ଅନୁଭୂତ ହୁଏ।

କିନ୍ତୁ ଏବର୍ଷ ଶୀତ ଥମିବାର ନାଁ ଧରୁନି।କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ମତାନୁସାରେ, ଭୁବନେଶ୍ୱର ସମେତ ଅନ୍ୟାନ୍ୟ ଅଞ୍ଚଳରେ ଆଗାମୀ ଦିନରେ ଶୀତ ଆହୁରି ବଢ଼ିବ ଏବଂ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଆହୁରି ଖସିପାରେ। ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ଅଧିକ ଶୀତ ଅନୁଭୂତ ହେବ, ଯେଉଁଥିରେ ଉପକୂଳ ଅଞ୍ଚଳରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି।୨୮, ୨୯ ଓ ୩୦ ତାରିଖ ବେଳକୁ ଉପକୂଳ ଅଞ୍ଚଳରେ ପାଗ ମେଘୁଆ ରହିପାରେ, ଫଳରେ ତାପମାତ୍ରା ସାମାନ୍ୟ କମିପାରେ। ଆସନ୍ତା ଦୁଇ ଦିନ ସାମୁଦ୍ରିକ ବାୟୁ ପ୍ରବାହ ଯୋଗୁଁ ବାୟୁର ବେଗ କିଛି ବଢ଼ିବ, କିନ୍ତୁ ତାପମାତ୍ରାରେ ବଡ଼ ପରିବର୍ତ୍ତନ ଆସିବନି। ୩୧ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପରେ ଲଘୁଚାପର ରୂପ ନେଇପାରେ, ହେଲେ ଏହାର ଓଡ଼ିଶା ଉପରେ ପ୍ରତ୍ୟକ୍ଷ ପ୍ରଭାବ ପଡ଼ିବନି।

ଜାନୁୟାରୀ ୨ ତାରିଖ ବେଳକୁ ଗ୍ରୀଷ୍ମରେଖାର ଦକ୍ଷିଣ ଗୋଲାର୍ଦ୍ଧରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିଲେ ମଧ୍ୟ, ଏହା ଅଧିକ ଘନୀଭୂତ ହେବନି ବୋଲି ଆକଳନ କରାଯାଇଛି।ପାଣିପାଗ ବିଭାଗ ଅନୁସାରେ, ଜାନୁୟାରୀ ୧ରୁ ୭ ତାରିଖ ଯାଏ ପୂର୍ବ ଓ କେନ୍ଦ୍ରୀୟ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୪ ଡିଗ୍ରୀ କମ୍ ରହିପାରେ। ଏହାସହ ରାଜ୍ୟର ବିକ୍ଷିପ୍ତ ସ୍ଥାନରେ କୁହୁଡ଼ି ଦେଖାଦେବ। ଶନିବାର କନ୍ଧମାଳ, କୋରାପୁଟ, ନୟାଗଡ଼, ଗଞ୍ଜାମ, ଜଗତ୍ସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାର କିଛି ଅଞ୍ଚଳରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *