Thu. Feb 26th, 2026

ନ୍ୟୁଜ ଡେକ୍ସ :ଓଡ଼ିଶାରେ ଇଲେକ୍ଟ୍ରୋନିକ୍ସ, ଆଇଟି, ସେମିକଣ୍ଡକ୍ଟର ଓ ଡିଜିଟାଲ ଭିତ୍ତିଭୂମି କ୍ଷେତ୍ରର ସମଗ୍ର ବିକାଶ ପାଇଁ କେନ୍ଦ୍ର ସରକାର ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିବା କଥା କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ରାଜ୍ୟସଭାରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ ଏହି ସୂଚନା ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀଙ୍କ କହିବାନୁସାରେ, ଓଡ଼ିଶାରେ ୪ ହଜାର ୯ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଦୁଇଟି ସେମିକଣ୍ଡକ୍ଟର ନିର୍ମାଣ ୟୁନିଟ୍‌ ସ୍ଥାପନ ପାଇଁ ମଞ୍ଜୁରି ମିଳିଛି। ଏହି କାରଖାନାରେ ଉତ୍ପାଦିତ ଚିପ୍‌ଗୁଡ଼ିକ ଅଟୋମୋବାଇଲ, ଏରୋସ୍ପେସ୍‌, ପ୍ରତିରକ୍ଷା, ୱାୟରଲେସ୍‌ ଉପକରଣ, ବୈଦ୍ୟୁତିକ ବାହନ, ଡାଟା ସେଣ୍ଟର ଏବଂ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ଉପକରଣରେ ବ୍ୟବହୃତ ହେବ। ସେହିପରି ‘ଚିପ୍‌ ଟୁ ଷ୍ଟାର୍ଟଅପ୍‌’ କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ର ସରକାର ଓଡ଼ିଶାର ୧୧ଟି ବିଶ୍ୱବିଦ୍ୟାଳୟକୁ ମାଗଣା ଡିଜାଇନ୍‌ ଟୁଲ୍‌ ଯୋଗାଇ ଦେଇଥିବା ସୂଚନା ମଧ୍ୟ ବୈଷ୍ଣବ ଦେଇଛନ୍ତି।ଭୁବନେଶ୍ୱରରେ ଏକ ନୂଆ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ସ୍ଥାପନ ପାଇଁ କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି।

ପ୍ରାୟ ୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏହି କ୍ଲଷ୍ଟର ମାଧ୍ୟମରେ ୧୫୩୦ କୋଟି ଟଙ୍କାର ପୁଞ୍ଜିନିବେଶ ଆକୃଷ୍ଟ ହେବା ସହ ପ୍ରାୟ ୩ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ୩୯୮ କୋଟି ଟଙ୍କା ନିବେଶ ହୋଇଥିବା ବେଳେ ୫୭୨ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।ଡିଜିଟାଲ ଦକ୍ଷତା ବିକାଶ ପାଇଁ ଜାତୀୟ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ପ୍ରତିଷ୍ଠାନ (ଏନଆଇଇଏଲଆଇଟି) ଓଡ଼ିଶାରେ ୨ଟି କେନ୍ଦ୍ର ସ୍ଥାପନ କରିଥିବା ସହ ୩୫ଟି କେନ୍ଦ୍ରକୁ ମାନ୍ୟତା ପ୍ରଦାନ କରିଛି। କଟକ, ଭୁବନେଶ୍ୱର, ସମ୍ବଲପୁର, ବାଲେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଏହି କେନ୍ଦ୍ରମାନଙ୍କ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୫ ହଜାର ପ୍ରାର୍ଥୀ ତାଲିମ ଗ୍ରହଣ କରିଛନ୍ତି।

ଉଦ୍ୟୋଗ ଓ ଷ୍ଟାର୍ଟଅପ୍‌ ବିକାଶ ଦିଗରେ ସଫ୍ଟୱେର ଟେକ୍ନୋଲୋଜି ପାର୍କ ଅଫ୍‌ ଇଣ୍ଡିଆ (ଏସ୍‌ଟିପିଆଇ) ଦ୍ୱାରା ଓଡ଼ିଶାରେ ଏକ ଇଲେକ୍ଟ୍ରୋପ୍ରନର୍‌ ପାର୍କ ସ୍ଥାପନ କରାଯାଇଛି। ଟ୍ରିପଲ୍‌ ଆଇଟି ଭୁବନେଶ୍ୱର ଏବଂ ଇଣ୍ଡିଆନ୍‌ ଇଲେକ୍ଟ୍ରୋନିକ୍ସ ଆଣ୍ଡ ସେମିକଣ୍ଡକ୍ଟର ଆସୋସିଏସନର ସହଭାଗିତାରେ ଏହି ପାର୍କକୁ ବିକଶିତ କରାଯାଇଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍‌ ଓ ଉତ୍ପାଦନକୁ ପ୍ରୋତ୍ସାହନ ଦେବା।

ବର୍ତ୍ତମାନ ସୁଦ୍ଧା ଏଥିରେ ୩୭ଟି ଷ୍ଟାର୍ଟଅପ୍‌ ସାମିଲ ହୋଇଛନ୍ତି।ସେହିପରି ଓଡ଼ିଶା ସରକାର, ବିପିୟୁଟି, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ଏବଂ ଆଇଆଇଟି ଭୁବନେଶ୍ୱରର ସହଯୋଗରେ ଉଦ୍ୟମିତା ବିକାଶ ପାଇଁ ‘ଇଏମ୍‌ ଟେକ୍‌ ସେଣ୍ଟର୍‌’ ସ୍ଥାପନ କରାଯାଇଛି। ଏହି କେନ୍ଦ୍ର ଅଧୀନରେ ୨୯ଟି ଷ୍ଟାର୍ଟଅପ୍‌ ସାମିଲ ହୋଇଥିବା ସୂଚନା ମଧ୍ୟ କେନ୍ଦ୍ର ମନ୍ତ୍ରୀ ଦେଇଛନ୍ତି।ଏସବୁ ପଦକ୍ଷେପ ଫଳରେ ଓଡ଼ିଶା ଆଗାମୀ ଦିନରେ ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ହବ୍‌ ଭାବେ ଉଦୟ ହେବ ବୋଲି ଆଶା ପ୍ରକାଶ କରାଯାଇଛି।

Leave a Reply

Your email address will not be published. Required fields are marked *