Sun. Feb 22nd, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଖାଦ୍ୟ ସୁରକ୍ଷା ଓ ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ଓଡ଼ିଶା ହାଇକୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ୪ କୋଟି ୭୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ରାଜ୍ୟରେ କେବଳ ଗୋଟିଏ ଖାଦ୍ୟ ପରୀକ୍ଷାଗାର ରହିଥିବାରୁ ଅଦାଲତ ଆଶ୍ଚର୍ଯ୍ୟ ପ୍ରକଟ କରି, ପ୍ରତି ଜିଲ୍ଲାରେ ଅତ୍ୟାଧୁନିକ ଫୁଡ୍‌ ଟେଷ୍ଟିଂ ଲାବୋରେଟୋରୀ ସ୍ଥାପନ ସହ ଆବଶ୍ୟକ ବୈଷୟିକ କର୍ମଚାରୀ ନିଯୁକ୍ତି ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମୀରା ପାଣିଗ୍ରାହୀ ଏବଂ ଅନ୍ୟମାନଙ୍କ ଦ୍ୱାରା ଦାଖଲ ପିଟିସନ୍‌ର ଶୁଣାଣି କରି ଜଷ୍ଟିସ୍‌ ଏସ୍‌.କେ. ପାଣିଗ୍ରାହୀ ଏହି ଆଦେଶ ଜାରି କରିଛନ୍ତି। ଅଦାଲତ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବ୍ୟକ୍ତିଗତ ହାଜର ହୋଇ ଅଦାଲତରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୪ ତାରିଖରେ ହେବ। ହାଇକୋର୍ଟ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ଖାଦ୍ୟ ଗୁଣବତ୍ତା ଯାଞ୍ଚ ପାଇଁ ଯେଉଁ ଭିତ୍ତିଭୂମି ରହିଛି, ସେହିଟା ସମ୍ପୂର୍ଣ୍ଣ ଅପର୍ଯ୍ୟାପ୍ତ।

ନମୁନା ପରୀକ୍ଷଣରେ ବିଳମ୍ବ ହେଉଥିବାରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଦୁର୍ବଳ ହେଉଛି ଏବଂ ଏହା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତର ବିପଦ ସୃଷ୍ଟି କରୁଛି।ଅପମିଶ୍ରିତ ଓ ନକଲି ଖାଦ୍ୟ ଯୋଗୁଁ ବିଷକ୍ରିୟା ସହିତ ଅନେକ ରୋଗ ହେବାର ଆଶଙ୍କା ଥିବାବେଳେ, ଏହାର ସବୁଠାରୁ ବେଶି ପ୍ରଭାବ ଶିଶୁ, ଗର୍ଭବତୀ ମହିଳା ଓ ବରିଷ୍ଠ ନାଗରିକଙ୍କ ଉପରେ ପଡ଼ୁଥିବାକୁ ଅଦାଲତ ଉଲ୍ଲେଖ କରିଛନ୍ତି। ଏହି ପରିସ୍ଥିତିକୁ ଗୁରୁତ୍ୱର ସହ ନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ତୁରନ୍ତ ଏବଂ କାର୍ଯ୍ୟକାରୀ ପଦକ୍ଷେପ ନେବାକୁ କହିଛନ୍ତି।

Leave a Reply

Your email address will not be published. Required fields are marked *